ସୁନ୍ଦରଗଡ଼: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଦେଖାଦେଇଛି କୋରୋନା ଆତଙ୍କ । ସୁନ୍ଦରଗଡ଼ କୁଆଁରମୁଣ୍ଡା ତହସିଲରେ କାର୍ଯ୍ୟରତ ଥିବା ୪ ଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି(ମଙ୍ଗଳବାର) ଜଣେ କର୍ମଚାରୀ କୋରୋନା ପଜିଟିଭ ବାହାରିବା ପରେ କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ତହସିଲ କାର୍ଯ୍ୟାଳୟର ୨୫ ଜଣ କର୍ମଚାରୀଙ୍କୁ ପରୀକ୍ଷା କରାଯାଇଥିଲା । ଫଳରେ ସେମାନଙ୍କ ମଧ୍ୟରୁ ଆଉ ତିନି ଜଣ ପଜିଟିଭ ବାହାରିଥିଲା । କୋରୋନା ପଜିଟିଭ ହୋଇଥିବା କର୍ମଚାରୀମାନଙ୍କୁ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି l
ସ୍ଵାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ କୋରୋନା ପଜିଟିଭ ହୋଇଥିବା କର୍ମଚାରୀଙ୍କ ପରିବାର ବର୍ଗଙ୍କୁ ପରୀକ୍ଷା କରାଯିବ । ତେବେ କର୍ମଚାରୀଙ୍କ ମଧ୍ୟରେ କୋରୋନା ପଜିଟିଭ ବାହାରିବାରୁ କୁଆଁରମୁଣ୍ଡା ତହସିଲକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇ ସିଲ କରିଛି ଜିଲ୍ଲା ପ୍ରଶାସନ ।
ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ