ରାଉରକେଲା: ଦିନକୁ ଦିନ ବଢ଼ୁଛି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ 10 ସ୍କ୍ରବ ଟାଇଫସ ଚିହ୍ନଟ । ଏନେଇ ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ସିଡିଏମଓ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୩କୁ ଛୁଇଁଲା । ତେବେ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସରକାରୀ ହସ୍ପିଟାଲରେ ଟେଷ୍ଟ ରିପୋର୍ଟ ଅନୁଯାୟୀ ଜାନୁଆରୀ ମାସରୁ ମୋଟ 48 ଜଣ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ 145 ଜଣ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ସଂଖ୍ୟା 193 କୁ ପହଞ୍ଚିଛି । ତେବେ ସ୍କ୍ରବ ଟାଇଫସ୍ ଏକ ଜୀବାଣୁ ଜନିତ ରୋଗ । 'ଚିଗାର' ନାମକ କୀଟ କାମୁଡ଼ିଲେ ଏହି ରୋଗ ହୋଇଥାଏ । 'ଚିଗାର' ଦେଖିବାକୁ ନାଲି ରଙ୍ଗର ଟିଙ୍କ ଭଳି । ଚାଷୀ କିମ୍ୱା ବିଲ ବା ଜଙ୍ଗଲ ଯାଉଥିବା ଲୋକ ଏଥିରେ ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଏହି ରୋଗକୁ ଚିହ୍ନଟ କରିବା କଷ୍ଟକର ଅଟେ ।
ଏହା ସାଧାରଣତଃ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା ଏବଂ ଚିଗାର କାମୁଡ଼ିବା ସ୍ଥାନରେ ଘା ହେବା ସହିତ ସ୍କିନରେ ଇନଫେକ୍ସନ ଭଳି ଲକ୍ଷଣ ଦେଖାଯାଏ । ଜଙ୍ଗଲ ଓ ଜମିକୁ ଯାଉଥିବା ଲୋକଙ୍କୁ ଏହି ପୋକ ଅଧିକ କାମୁଡି ଥିବା ଜଣାପଡିଛି । ଏହି ପୋକ କାମୁଡିବା ଫଳରେ ଜ୍ଵର ସାଙ୍ଗକୁ ତଳି ପେଟ ବ୍ୟଥା ହେବା ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା ଜଣାପଡିଛି । ଏହି ରୋଗୀ ଗ୍ରାମାଞ୍ଚଳରେ ଅଧିକ ଦେଖା ଦେଉଥିବା ବେଳେ ଲୋକଙ୍କୁ ଏହି ପୋକ ନିକଟରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଜମିକୁ ଯିବା ପୂର୍ବରୁ ଦେହରେ ପୋକ ଠାରୁ ରକ୍ଷା ପାଇବା ପାଇଁ କ୍ରିମ ବା ଔଷଧ ଲଗାଇବା ଜମିରୁ ବା ବିଲରୁ ଆସି ଭଲକରି ଗାଧୋଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।
ତେବେ ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରେ ମୋଟ 960 ଟି ବ୍ଲଡ଼ ସାମ୍ପୁଲ ଟେଷ୍ଟ ହୋଇଥିବା ବେଳେ ସେଥି ମଧ୍ୟରେ 193 ଟି ଟେଷ୍ଟ ପଜିଟିଭ ଅଛି । ରାଉରକେଲା ବା ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥିତି ଅଧିକ ସଙ୍ଗିନ ହୋଇନାହିଁ । ସମସ୍ତ ପଜିଟିଭ ଆକ୍ରାନ୍ତ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛନ୍ତି ବୋଲି କହିଛନ୍ତି ରାଉରକେଲା ସରକାରୀ ହସ୍ପିଟାଲର ନିର୍ଦ୍ଦେଶକ ସନ୍ତୋଷ ସ୍ୱାଇଁ । ଅନ୍ୟପଟେ ସୁନ୍ଦରଗଡ଼ ସିଡିଏମଓ ସୂଚନା ଦେଇଛନ୍ତି, "ବର୍ତ୍ତମାନ ବର୍ଷା ଦିନ ଥିବାରୁ ଲୋକେ ଜଙ୍ଗଲ ଜମିକୁ ଯାଉଥିବାରୁ ଏହି ସଂଖ୍ୟା ଏଭଳି ବୃଦ୍ଧି ପାଇଛି । ହେଲେ ଖୁବ ଶୀଘ୍ର ଏହି ସ୍କ୍ରବ ଟାଇଫସ ରୋଗ ପଜିଟିଭ ହାର କମିବାରେ ଲାଗିବ ବୋଲି ସୂଚନା ଦେଇଛନ୍ତି ।"
ଇଟିଭି ଭାରତ, ରାଉରକେଲା