ସୁବର୍ଣ୍ଣପୁର: ବିକାଶ ପ୍ରକ୍ରିୟାରେ ଶ୍ରମିକ ମାନଙ୍କର ଅତୁଳନୀୟ ଅବଦାନକୁ ସ୍ଵୀକାର କରି ରାଜ୍ୟ ସରକାର ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି ସେମାନଙ୍କ ସୁରକ୍ଷା ପାଇଁ ସରକାର ଅନେକ ସୁରକ୍ଷା ଉପକରଣ ମଧ୍ୟ ଯୋଗାଇ ଦିଆଯାଉଛି । ହେଲେ ସୁବର୍ଣ୍ଣପୁର ଜିଲ୍ଲାର ଶ୍ରମିକ ମାନେ କାର୍ଯ୍ୟ କ୍ଷେତ୍ରରେ କୌଣସି ସୁରକ୍ଷା ଉପକରଣ ବ୍ୟବହାର କରୁନଥିବା ଦେଖିବାକୁ ମିଳିଥିଲା । ଏନେଇ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରମିକ ମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ଦାବି ହେଉଛି।
ଶ୍ରମିକ ମାନଙ୍କୁ ଶ୍ରମ ବିଭାଗ ପକ୍ଷରୁ ବର୍ଷର ବିଭିନ୍ନ ସମୟରେ ସୁରକ୍ଷା ଉପକରଣ ଯୋଗାଇ ଦିଆଯାଉଛି । ହେଲେ ଶ୍ରମିକ ମାନଙ୍କ ଭିତରେ ସଚେତନତା ଅଭାବରୁ ଶ୍ରମିକ ମାନେ ସୁରକ୍ଷା ଉପକରଣ ବ୍ୟବହାର ନ କରି ବିପଦ ସଂକୁଳ ଅବସ୍ଥାରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ବିଶେଷକରି ଅନେକ ସରକାରୀ କାର୍ଯ୍ୟରେ ଅନେକ କୁଶଳୀ ଶ୍ରମିକମାନେ ବିଭିନ୍ନ ପ୍ରକାରର ମେସିନ ଚଳାଉଛନ୍ତି । ହେଲେ ସୁରକ୍ଷା ଉପକରଣ ପିନ୍ଧୁ ନ ଥିବାରୁ ଅନେକ ସମୟରେ ଶ୍ରମିକ ମାନେ ବହୁ ଦୁର୍ଘଟଣାର ଶିକାର ହୋଇ ଖର୍ଚ୍ଚରେ ପଡୁଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ