ସୁବର୍ଣ୍ଣପୁର: ହକି ଖେଳକୁ ପ୍ରୋତ୍ସାହନ ଦେଇଛନ୍ତି ରାଜ୍ୟ ସରକାର । ଟୋକିଓ ଅଲିମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା ହକି ଖେଳାଳି ଦେଶ ପାଇଁ ଗୌରବ ଆଣିଛନ୍ତି । ଏହାପରେ ହକି ଖେଳକୁ ଅଧିକରୁ ଅଧିକ ପ୍ରୋତ୍ସାହନ ମିଳୁଛି । ସୁବର୍ଣ୍ଣପୁର ଜିଲ୍ଲାରେ ହକି ଖେଳ ପ୍ରତି ଝିଅ ମାନଙ୍କ ଆଗ୍ରହ ବଢିଛି । ଗତ ଦୁଇ ବର୍ଷ ହେଲା ଜିଲ୍ଲାର ଉଲୁଣ୍ଡା ବ୍ଳକର ବିଭିନ୍ନ ଗାଁର ଝିଅମାନେ ହକି ଖେଳ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଅଲମ୍ପିକରେ ମହିଳା ହକି ଦଳର ଭଲ ଖେଳ ପ୍ରଦର୍ଶନ ପରେ ଜିଲ୍ଲାରେ ଝିଅମାନେ ହକି ଖେଳ ପାଇଁ ଆଗେଇ ଆସିଛନ୍ତି ।
ଜିଲ୍ଲା ହକି ଆସୋସିଏସନର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ମହିଳା କ୍ରୀଡାବିତମାନଙ୍କୁ ବେଶ ପ୍ରେରଣା ଦେଉଛନ୍ତି । ଦକ୍ଷିଣିପାଲି ଠାରେ ଆୟୋଜିତ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଅବସରରେ ଆୟୋଜିତ ହୋଇଥିଲା ମହିଳା ହକି ପ୍ରତିଯୋଗୀତା । ଜିଲ୍ଲାର ଦୁଇ ଗୋଟି ଟିମ ଏହି ପ୍ରଦର୍ଶନୀ ମ୍ୟାଚରେ ନିଜର ଖେଳ ପ୍ରଦର୍ଶନ କରିଥିଲେ । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀମାନେ ଆଗ୍ରହ ପ୍ରକାଶ କରି ହକି ଖେଳୁଛନ୍ତି । ହେଲେ ମହିଳାମାନଙ୍କ ହକି ଖେଳ ପାଇଁ ଜିଲ୍ଲାରେ ଆବଶ୍ୟକ ଭିତ୍ତିଭୂମୀର ବ୍ୟବସ୍ଥା କରାଯାଇ ପାରିନାହିଁ ।
ବିଶେଷକରି ଏକ ସ୍ବୟଂ ସଂପୂର୍ଣ୍ଣ ଖେଳ ପଡିଆ ସାଙ୍ଗକୁ ଖେଳ ସରଞ୍ଜାମ ଯୋଗାଇ ଦେଲେ ଜିଲ୍ଲାରେ ଅନେକ ଛାତ୍ରୀ ହକିଖେଳରେ ରାଜ୍ୟ ତଥା ଦେଶକୁ ଗୌରବ ଆଣି ପାରିବେ ବୋଲି ହକିପ୍ରେମୀ ତଥା ପ୍ରଶିକ୍ଷକ ରାମ ଶଙ୍କର ସାହୁ କହିଛନ୍ତି । । ଜିଲ୍ଲା ପ୍ରଶାସନ ମହିଳା ଖେଳାଳୀମାନଙ୍କ ଆଗ୍ରହ ଦେଖି ଆବଶ୍ୟକ ପଦକ୍ଷେପ ନେବେ ବୋଲି ଖେଳାଳିମାନଙ୍କୁ ପ୍ରତିଶୃତି ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ