ହୋମଗାର୍ଡଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ବଦଳି ପାଇଁ ଶାରୀରିକ ସମ୍ପର୍କ ରଖିବାକୁ ASIଙ୍କୁ କରିଥିଲେ ବାଧ୍ୟ ! - alligation on homeguard
ସାମାଜିକ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ବିଭାଗ ନିଜ ପୋଲିସ କର୍ମଚାରୀଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି । ହୋମଗାର୍ଡଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମହିଳା ଏଏସଆଇ । ଅଧିକ ପଢନ୍ତୁ
Published : Oct 7, 2023, 5:48 PM IST
ସୁବର୍ଣ୍ଣପୁର: ଖାକିରେ ଲାଗିଲା କଳଙ୍କ । ମହିଳା ପୋଲିସ ଅଧିକାରୀଙ୍କୁ ଯୌନ ଶୋଷଣ ଅଭିଯୋଗ । ଅସୁରକ୍ଷିତ ହୋଇପଡିଛି ପୋଲିସ ବିଭାଗ । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଉଲୁଣ୍ଡା ଥାନାର ଜଣେ ମହିଳା ଏଏସଆଇଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି । ମହିଳା ଏଏସଆଇ ଜଣକ ଛୁଟି ମଞ୍ଜୁର ସହ ଉଲୁଣ୍ଡା ଥାନାରୁ ଅନ୍ୟତ୍ର ବଦଳି କରାଇ ଦେବା ପାଇଁ ହୋମଗାର୍ଡକୁ ଅନୁରୋଧ କରିଥିଲେ । ଆଉ ଏହାର ପ୍ରତିବଦଳରେ ହୋମଗାର୍ଡ ଜଣକ ତାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିବା ନେଇ ଅଭିଯୋଗ ହୋଇଛି ।
ସରକାରଙ୍କ ଶୃଙ୍ଖଳିତ ବିଭାଗ ତାଲିକାରେ ସବୁଠୁ ଉଚ୍ଚରେ ଥିବା ପୋଲିସ ବିଭାଗର କର୍ମଚାରୀମାନେ ଦିନକୁ ଦିନ ଅଧିକ ବିଶୃଙ୍ଖଳିତ ହୋଇ ପଡୁଥିବା ନଜରକୁ ଆସୁଛି । ଜନସାଧାରଣଙ୍କ ଧନ ଜୀବନ ତଥା ସାମାଜିକ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ବିଭାଗ ନିଜ ପୋଲିସ କର୍ମଚାରୀଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିବା ପରି ଏକ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅତି ନିକଟତର ଭାବେ ଜଣାଶୁଣା ହୋମଗାର୍ଡ ରାଜକୁମାର ପଧାନ । ଆଉ ତାଙ୍କର ଏଭଳି ହୀନ ଉଦ୍ଦେଶ୍ୟ ବିରୁଦ୍ଧରେ ମହିଳା ଏଏସଆଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଆରକ୍ଷୀ ଅଧିକ୍ଷକ ରାଜକୁମାର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ପୋଲିସ ବିଭାଗର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଶେଷରେ ମହିଳା ପୋଲିସ ଅଧିକାରୀ ଜଣକ ଉତ୍ତରାଞ୍ଚଳ ଆଇଜିଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି ।
ଏହା ବି ପଢନ୍ତୁ...ବଲାଙ୍ଗୀରରେ ବିପୁଳ ପରିମାଣର ଗଞ୍ଜେଇ ଜବତ, ହୋମଗାର୍ଡ୍ ଗିରଫ
ସମ୍ପୃକ୍ତ ଗୃହରକ୍ଷୀ ବହୁ ବେଆଇନ କାରବାରରେ ଲିପ୍ତ ଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସମ୍ପୃକ୍ତ ମହିଳା ପୋଲିସ ଅଧିକାରୀ ଗତ ଜାନୁଆରୀରୁ ଜୁନ ମାସ ଯାଏଁ ଛୁଟିରେ ଥିଲେ । ସେହି ଛୁଟି ମଞ୍ଜୁର ସହ ନିୟମିତ କରିବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ ମହିଳା ପୋଲିସ ଅଧିକାରୀ ଜଣକ ନିବେଦନ କରିଥିଲେ । ଏହି ଘଟଣାକୁ ନେଇ ମହିଳା ପୋଲିସ ଅଧିକାରୀଙ୍କ ଉପରେ ସମ୍ପୃକ୍ତ ଗୃହରକ୍ଷୀ ରାଗ ରଖିବା ସହ ଅନ୍ୟ ପୋଲିସ ଅଧିକାରୀଙ୍କ ସହ ମିଶି ଗଞ୍ଜେଇ ମାମଲାରେ ଫସାଇବାକୁ ଉଦ୍ୟମ କରିଥିବା ମହିଳା ପୋଲିସ ଅଧିକାରୀ ଜଣକ ଅଭିଯୋଗ ଆଣିଛନ୍ତି ।
ସମ୍ପୃକ୍ତ ମହିଳା ପୋଲିସ ଅଧିକାରୀଙ୍କ ସହ ସୁବଳୟା ଅଞ୍ଚଳର ଜଣେ ଯୁବକଙ୍କ ବନ୍ଧୁତା ରହିଛି । ସେହି ଯୁବକ ଜଣକ ପୀଡିତା ମହିଳା ପୋଲିସ ଅଧିକାରୀଙ୍କ ସ୍କୁଟି ନେଇ କୌଣସି କାମରେ ସୋନପୁର ଯାଇଥିବାବେଳେ ଗତ କିଛିଦିନ ତଳେ ଗଞ୍ଜେଇ ମାମଲାରେ ତାକୁ ଫସାଇ ଦିଆଯାଇଥିବା ଏଏସଆଇ ଅଭିଯୋଗ କରିଛନ୍ତି । ଏ ଘଟଣା ସମ୍ପର୍କରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ପ୍ରତିକ୍ରିୟା ଦେବା ପାଇଁ ମନା କରିଥିବାବେଳେ କୌଣସି ବି ପୋଲିସ ଅଧିକାରୀ କୌଣସି ସୂଚନା ଦେଉନାହାନ୍ତି । ପୋଲିସ ବିଭାଗର ଏଭଳି କାର୍ଯ୍ୟକୁ ଜନସାଧାରଣ ତୀବ୍ର ନିନ୍ଦା କରୁଥିବାବେଳେ ଶୃଙ୍ଖଳିତ ବିଭାଗରେ ବିଶୃଙ୍ଖଳିତ ଆଚରଣ କରୁଥିବା ପୋଲିସ କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର