ସୁବର୍ଣ୍ଣପୁର: ପୀଡ଼ିତ ପରିବାର ଉପରେ ପୋଲିସର ପକ୍ଷପାତିତା ଅଭିଯୋଗ । ଅଭିଯୁକ୍ତକୁ ଗିରଫ ନ କରି ପୀଡ଼ିତ ପରିବାର ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସ ଧମକ ଦେଉଛନ୍ତି। ଯାହାକୁ ନେଇ ଆହତ ଜଣକ ଅଭିଯୋଗ କରିଛନ୍ତି ।
ସୂଚନା ମୁତାବକ, ସୁବର୍ଣ୍ଣପୁର ଜିଲ୍ଲା ଚୌକା ଗ୍ରାମରେ ଗତ ଗୁରୁବାର ଘର ଆଗର ଡ୍ରେନକୁ ରାସ୍ତାରେ ପରିଣତ କରୁଥିବା ନେଇ ଦୁଇଟି ପରିବାର ଭିତରେ ବିବାଦ ଦେଖା ଦେଇଥିଲା । ଏହି ଘଟଣାକୁ ନେଇ ବିଜାରୁ ଜଗଦଲା ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ବିବାଦର ସମାଧାନ କରିବା ପାଇଁ ପ୍ରୟାସ କରିଥିଲେ। ଯାହା ଫଳରେ ଆକ୍ରମଣକାରୀ ପୟର ସିଂ ଓ ଜୟଦେବ ସିଂ ଘର ଲୋକେ ଗୋଷ୍ଠୀଗତ ଭାବେ ବିଜାରୁ ଘରେ ପଶି ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ଆକ୍ରମଣରେ ବିଜାରୁଙ୍କ ପରିବାର ମଧ୍ୟରୁ ସାତ ଜଣ ଆହତ ହୋଇଛନ୍ତି । ଏବଂ ଆହତ ବିଜାରୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ବିଜାରୁଙ୍କ ଅଭିଯୋଗ କ୍ରମେ 17 ଜଣଙ୍କ ନାଁରେ ଥାନାରେ ଏତଲା ହୋଇଥିବାବେଳେ ଅଭିଯୁକ୍ଙ୍କୁ ପୋଲିସ ଗିରଫ କରୁ ନ ଥିବା ଅଭିଯୋଗ ହେଉଛି । ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଫଳରେ ବିଜାରୁର ପରିବାର ଲୋକେ ଭୟଭୀତ ଅଛନ୍ତି। ଅପରପକ୍ଷେ ପୀଡ଼ିତ ପରିବାରକୁ ସୁବଳୟା ଥାନା ପୋଲିସ ପକ୍ଷରୁ ଗିରଫ ଧମକ ମଧ୍ଯ ଦିଆଯାଇଛି। ତେଣୁ ଅଭିଯୁକ୍ତମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜାରୁଙ୍କ ଝିଅ ବୃନ୍ଦାବତି ଓ ଜ୍ବାଇଁ ବୈଶାଖୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ନିବେଦନ କରିଛନ୍ତି । ତେବେ ମାରଣାସ୍ତ୍ର ସାହାଯ୍ୟରେ ଗୋଟିଏ ପରିବାରର ସାତ ଜଣ ବ୍ୟକ୍ତି ଆହତ ହୋଇଥିବା ବେଳେ ପୋଲିସର ନୀରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ