ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଆରସିଡ଼ିସି ପକ୍ଷରୁ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇ ଯାଇଛି। ଏହି ଶିବିରକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷାକୁମାରୀ ଉଦଘାଟନ କରି ତୃଣମୂଳ ସ୍ତରରେ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦୃଢ଼ ଇଛାଶକ୍ତିର ଆବଶ୍ୟକ ବୋଲି କହିଛନ୍ତି।
ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା, ସୁସ୍ଥ କୁଷ୍ଠ ରୋଗୀଙ୍କ ପାଇଁ ସହାୟତା, ଇନ୍ଦିରା ଗାନ୍ଧୀ ଓ ମଧୁବାବୁ ପେନସନ ଯୋଜନା, ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା, କୋଭିଡ ସହାୟତା ଯୋଜନା, ମୋ ଉପକାରୀ ବଗିଚା ଆଦି ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ତୃଣମୂଳ ସ୍ତରରେ ସରକାରଙ୍କୁ ସହଯୋଗ କରୁଥିବା କର୍ମଚାରୀ ମାନଙ୍କ ଭୂମିକା ଯଥେଷ୍ଟ। ତେଣୁ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, କୃଷକ ସାଥି ତଥା ତୃଣମୂଳ ସ୍ତ୍ରରର ଲୋକ ପ୍ରତିନିଧିଙ୍କୁ ପ୍ରଶିକ୍ଷଣ ପ୍ରଦାନର ଆବଶ୍ୟକତା ରହିଛି। ଏହି ପ୍ରଶିକ୍ଷଣ ଶିବିରରେ ତୃଣମୂଳ ସ୍ତରର ସମସ୍ତ ସହଯୋଗୀ ଓ ଲୋକ ପ୍ରତିନିଧି ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଯାହା ଫଳରେ ଜିଲ୍ଲାରେ ଲୋକଙ୍କ ସାମାଜିକ ଓ ଆର୍ଥିକ ପ୍ରଗତିରେ ଏହି ପ୍ରଶିକ୍ଷଣ ସହାୟକ ହେବ ବୋଲି ଆଶା କରାଯାଉଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ