ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସହରର ବଡ ବଜାରରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ପୌର ପରିଷଦ ତିଆରି କରିଥିବା ଡ୍ରେନ ଉପରେ ଲୋକେ ଜବରଦଖଲ କରିଛନ୍ତି। ଫଳରେ ଡ୍ରେନ ପାଣି ଅନେକ ଯାଗାରେ ଅଟକି ରହି ରାସ୍ତା ଉପରକୁ ମାଡି ଆସୁଛି। ବିଶେଷକରି ବର୍ଷା ଦିନରେ ଏକ କୁତ୍ରିମ ବନ୍ୟା ସୃଷ୍ଟି ହେଉଛି । ପୌର ପରିଷଦ ଓ ରାଜସ୍ବ ବିଭାଗ ପକ୍ଷରୁ ଜବରଦଖଲକାରୀଙ୍କୁ ବାରମ୍ବାର ନୋଟିସ ଦେବା ପରେ ବି ଜବରଦଖଲକାରୀମାନେ ଡ୍ରେନ ଉପର ନିର୍ମାଣ ନ ଭାଙ୍ଗିବାରୁ ଶନିବାର ପୌର ପରିଷଦ ଓ ରାଜସ୍ବ ବିଭାଗ ମିଳିତ ଭାବରେ ଜବରଦଖଲ ଉଚ୍ଛେଦ କରାଯାଉଛି ।
ସଦର ତହସିଲଦାର ଅରବିନ୍ଦ ବେହେରାଙ୍କ ନେତୃତ୍ବରେ ପୌର ପରିଷଦ କର୍ମଚାରୀ ,ସଫେଇ କର୍ମଚାରୀ ମିଶି ଜେସିବି ସାହାଯ୍ୟରେ ଉଚ୍ଛେଦ କାର୍ଯ୍ୟକୁ ଜାରି ରଖିଛନ୍ତି । ଡ୍ରେନ ଉପରେ ଅଧିକାଂଶ ନିର୍ମାଣ ହୋଇଥିବାରୁ ରାସ୍ତାରେ କୁତ୍ରିମ ବନ୍ୟା ହେଉଥିବା ବେଳେ ପାର୍କିଂ ସମସ୍ୟା ବି ଦେଖା ଦେଉଥିଲା । ତେବେ ଉଚ୍ଛେଦ କାର୍ଯ୍ୟକୁ ସାଧାରଣ ଲୋକେ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ