ସୁବର୍ଣ୍ଣପୁର: ଆଜକୁ ଚାରି ଦଶନ୍ଧି ହେବ । ଅପହୃତଙ୍କ କବଳରୁ ଫେରିଛନ୍ତି ସତ ହେଲେ ଫେରିପାରି ନାହାନ୍ତି ନିଜ ମନ୍ଦିରକୁ । ଭୁବନେଶ୍ବର ସ୍ଥିତ ସିବିଆଇ ମାଲଖାନାରେ ବନ୍ଦୀ ହୋଇ ରହିଛନ୍ତି ଶ୍ରୀ ଗୋପାଳଜୀ । 1635 ମସିହାରୁ ସୋନପୁର ଗଡଜାତର ରାଜପ୍ରସାଦ ସମ୍ଭୁଖରେ ଏକ ଭବ୍ୟ ମନ୍ଦିରରେ ପୂଜା ପାଉଥିବା ଶ୍ରୀ ଗୋପାଳଜୀଙ୍କ ଅଷ୍ଟଧାତୁର ପ୍ରତିମା ଏବେ ଭୁବନେଶ୍ୱରର ସିବିଆଇ ମାଲଖାନାରେ। ଗଡଜାତବାସୀ ତଥା ଏବେର ସୁବର୍ଣ୍ଣପୁରବାସୀଙ୍କ ଆରାଧ୍ୟ ଦେବତା ଶ୍ରୀ ଗୋପାଳଜୀଙ୍କୁ ଫେରାଇ ଆଣିବା ପାଇଁ ବାରମ୍ବାର ଦାବି ସତ୍ବେ ଗଡଜାତର ସଦର ଦେବୋତ୍ତର ବିଭାଗ ଅବା ଜିଲ୍ଲା ପ୍ରଶାସନ ସଭିଏଁ ଚୁପ ।
ହଁ ଆଜ୍ଞା । ଆପଣ ଠିକ ପଢୁଛନ୍ତି । ବନ୍ଦୀ ଅଛନ୍ତି ଭଗବାନ । ସୁବର୍ଣ୍ଣପୁରର ଆରଧ୍ୟ ଦେବତା ଦୀର୍ଘ 4 ଦଶନ୍ଧି ହେଲା ଅଖିଆ ଅପିଆ ଏବେ ସିବିଆଇ ମାଲଖାନାରେ । ଘଟଣା ହେଉଛି 1982 ମସିହାର । ଚୌହାନ ଶାସକ ମଦନ ଗୋପାଳ ସିଂହଦେଓଙ୍କ ସମୟରୁ ସୁବର୍ଣ୍ଣପୁର ରାଜପ୍ରସାଦ ସମ୍ଭୁଖରେ ଏକ ଭବ୍ୟ ମନ୍ଦିର ପୂଜା ପାଉଥିଲେ ଶ୍ରୀ ଗୋପାଳଜୀ । ହେଲେ 1982 ମସିହାରେ ଶ୍ରୀ ଗୋପାଳଜୀଙ୍କ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତୀ ସହିତ 10 ଗୋଟି ପାର୍ଶ୍ଵ ମୂର୍ତ୍ତି ଚୋରି କରିନେଲେ ଦୁର୍ବୃତ୍ତମାନେ। ଚୋରି ହେବାର 6 ମାସ ପରେ ଦିଲ୍ଲୀରୁ ସିବିଆଇ ମୂର୍ତ୍ତୀସବୁ ଉଦ୍ଧାର କଲା । ପରେ ମାମଲା ସ୍ଥାନାନ୍ତର ହେଲା ଭୁବନେଶ୍ବର ସ୍ଥିତ ସିବିଆଇ ଅଦାଲତକୁ ।
ଘଟଣାର ତଦନ୍ତ କରିବା ସହ ସିବିଆଇ ଜାଣିବାକୁ ପାଇଲା ଚୋରୀ ମୂର୍ତ୍ତି ସବୁ ସୁବର୍ଣ୍ଣପୁର ଜିଲ୍ଲାର । ପରେ ମନ୍ଦିରର ପୂଜକ ଓ ବିଭିନ୍ନ ବର୍ଗର ଲୋକଙ୍କୁ ଡକାଇ ମୂର୍ତ୍ତି ଚିହ୍ନଟ ମଧ୍ୟ ହେଲା । ପରିଶେଷ ରେ ମୂର୍ତ୍ତି ସବୁ ଫେରାଇ ଦେବାପାଇଁ ଅଦାଲତ ରାୟ ଦେଲେ । ହେଲେ 2009 ମସିହାରୁ ରାୟ ପ୍ରକାଶ ପାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଶ୍ରୀ ଗୋପାଳଜୀ ଫେରିପାରି ନାହାଁନ୍ତି ନିଜ ସିଂହାସନକୁ ।
ସେପଟେ ମନ୍ଦିର ଆସୁଥିବା ଭକ୍ତ ଶ୍ରୀଗୋପାଳଜୀଙ୍କ ଖାଲି ସିଂହାସନ ଦେଖି କଷ୍ଟ ଅନୁଭବ କରୁଛନ୍ତି । ଏହାସହ ଭକ୍ତ ଓ ଜିଲ୍ଲାବାସୀଙ୍କ ମନରେ ବଢୁଛି ଅସନ୍ତୋଷ । ତେବେ ଆଶ୍ଚର୍ଯ୍ୟକର କଥା ଏତେ ସବୁ ମୁଲ୍ୟବାନ ମୂର୍ତ୍ତି ଚୋରି ହେବା ଓ ରାୟ ପ୍ରକାଶ ପରେ ମଧ୍ଯ ମୂର୍ତ୍ତି ଗୁଡିକ ଫେରାଇ ଆଣିବା ପାଇଁ ଏଯାଏଁ କୌଣସି ପଦକ୍ଷେପ ନେଇନାହିଁ ଜିଲ୍ଲା ପ୍ରଶାସନ । ଜିଲ୍ଲା ଦେବତ୍ତୋର ଅଧିକାରୀ କହିଛନ୍ତି ବିଭାଗ ପାଖରେ ଏନେଇ କୌଣସି ତଥ୍ଯ ଭିତ୍ତିକ ପ୍ରମାଣ ନାହିଁ ।
ସୂଚନାଯୋଗ୍ୟ 1635 ମସିହାରେ ଚୌହାନ ଶାସକ ମଦନ ଗୋପାଳ ସିଂହଦେଓ ସମ୍ବଲପୁରରୁ ଭାଇ ଭାଗ ସ୍ୱରୂପ ଶ୍ରୀ ଗୋପାଳଜୀଙ୍କୁ ସୋନପୁର ଆଣି ରାଜପ୍ରାସାଦର ସମ୍ଭୁଖରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରି ପ୍ରତିଷ୍ଠା କରିଥିଲେ। ଏହି ସବୁ ମୂର୍ତ୍ତି ଗୁଡିକ ଅଷ୍ଟଧାତୁ ଓ ବିଭିନ୍ନ ଦୁର୍ଲଭ ପଦାର୍ଥରେ ନିର୍ମିତ ହୋଇଛି । ଯାହାର ମୁଲ୍ୟ କୋଟି କୋଟି ଟଙ୍କା ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ