ସୁବର୍ଣ୍ଣପୁର: ପୁଅ ଜନ୍ମ ହେଲା କ୍ଷଣି ଘରେ ଖେଳିଗଲା ଖୁସି । ପରିବାରରେ ଦେଖାଦେଲା ଆନନ୍ଦର ମାହୋଲ । କିନ୍ତୁ କିଏ ଜାଣିଥିଲା ଏ ଖୁସି ମାତ୍ର କ୍ଷଣିକର । କିଛି ସମୟ ପରେ ଜଣାପଡିଲା ଏହା ଖୁସି ନୁହେଁ, ଜୀବନ ଯାକର ଦୁଃଖ । ଜୀବନର 16ଟି ଶ୍ରାବଣ ପାରେଇଲାଣି । ହେଲେ ଏବେ ବି ମାଆ ଉପରେ ନିର୍ଭର ପୁଅ । ଖେଳକୁଦ କରିବା ବୟସରେ ସେ ଜିଉଁଛି ବନ୍ଦୀ ଜୀବନ । କେହି ବନ୍ଦୀ କରିନାହିଁ । ବିଧିର ବିଧାନ ପିଲାଟି ପାଇଁ ପାଲଟିଛି ବାଧା । ପ୍ରାୟ 2 ବର୍ଷ ହେଲା ଡେଇଁନି ଘର ଦୁଆର । ଏକ ହୃଦୟ ବିଦାରକ ଅଭିଶପ୍ତ ଜୀବନରେ ବନ୍ଧା ହୋଇଛି ଭବିଷ୍ୟତ । ଆଗ୍ରହ ସତ୍ତ୍ବେ ପାଠପଢାରେ ବାନ୍ଧିଛି ଡୋରୀ । ଆମେ କହୁଛୁ ସୁବର୍ଣ୍ଣପୁର ଘଣ୍ଟୋପାଲି ଗାଁର ରାହୁଲର କାହାଣୀ ।
ପିଲାଟି ବେଳୁ ରାହୁଲ ଏକ ଅଜଣା ରୋଗରେ ଆକ୍ରାନ୍ତ । ବୟସ ବଢିବା ସହ ବଙ୍କା ହୋଇଯାଉଛି ହାତଗୋଡ । ପୁଅର ଚିକିତ୍ସା ଲାଗି ବାପା ମାଆ ଘରର ସମସ୍ତ ସମ୍ବଳ ବିକି ସାରିଲେଣି । ରାଜ୍ୟର ସବୁ ପ୍ରମୁଖ ଡାକ୍ତରଖାନା ଦୌଡି ସାରିଲେଣି । ଆଗକୁ ଯିବା ପାଇଁ ଅଣ୍ଟିରେ ଆଉ ନାହିଁ ସମ୍ବଳ । ସରକାର କେବଳ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ସାରିଦେଇଛନ୍ତି ଦାୟିତ୍ବ । ମାସକୁ ମିଳୁଛି କେବଳ 700 ଟଙ୍କା ସହାୟତା । ଅନେକ ଅନୁରୋଧ ପରେ ବି ମିଳିନି ତିନି ଚକିଆ ସାଇକେଲ ।
ପ୍ରଶ୍ନ ଉଠୁଛି, କଣ ରାହୁଲ ପାଇଁ ଏହି ଜୀବନ ଏକ ଅଭିଶାପ ? କଣ ତା’ର ପଢିବାର ଅଧିକାର ନାହଁ ? କଣ ଦିବ୍ୟାଙ୍ଗ ପିଲାଟିର ଆଗ୍ରହର କିଛି ମୂଲ୍ୟ ନାହିଁ ? ଦିବ୍ୟାଙ୍ଗଙ୍କ ଲାଗି ନାନା ଯୋଜନା ଥିବାବେଳେ ରାହୁଲ ପାଖରେ କାହିଁକି ସବୁ ଫେଲ ମାରିଛି ?
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ