ସୁବର୍ଣ୍ଣପୁର: ମାତ୍ର 20 ଡିସିମିଲ ପରିମିିତ ଜାଗାରେ ହୋଇଛି ପନିପରିବା ଓ ଫୁଲ ଚାଷ । ବିଭିନ୍ନ ଧରଣର ଫୁଲ ସହିତ ଫଳ, ପନିପରିବା ଓ ଜାତି ଜାତିକା ଶାଗ କିଆରିରେ ହସୁଛି ବାଡି । ସଂପୂର୍ଣ୍ଣ ଜୈବିକ ପଦ୍ଧତିରେ ଗୋବର ଖତ ପ୍ରୟୋଗ କରି ବିଭିନ୍ନ ପନିପରିବା ଓ ଶାଗ ଉତ୍ପାଦିତ କରାଯାଇ ପାରୁଛି । ଯାହା ଅନେକ ଦିନ ପର୍ଯ୍ୟନ୍ତ ସତେଜ ରହିବା ସହିତ ସ୍ବାଦିଷ୍ଟ ବି ଲାଗୁଛି । ଏକ ଛୋଟିଆ ଜାଗାରେ ଜୈବିକ ପଦ୍ଧତିରେ ଚାଷ କରି ନିଜର ଆବଶ୍ୟକତା ମେଣ୍ଟାଇବା ସହିତ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ପିପିଲିପାଲି ଗାଁର ସତ୍ୟବାନ ମିଶ୍ର ।
ସେ ବିଦ୍ୟୁତ ବିଭାଗରେ କାମ କରୁଥିବାବେଳେ ବ୍ୟସ୍ତ ବହୁଳ ଜୀବନରୁ ସମୟ କାଢି ଏଭଳି ସୁନାର ଫସଲ ଫଳାଉଛନ୍ତି । ନିଜର ବ୍ୟସ୍ତବହୁଳ ଜୀବନ ଭିତରେ କିଛି ସମୟ ଫୁରସତ ମିଳିଲେ ଚାଷ କାର୍ଯ୍ୟରେ ମାତି ଯାଆନ୍ତି ସତ୍ୟବାନ । ନିଜ ବିଭାଗୀୟ କାର୍ଯ୍ୟ କରି ସାରିବା ପରେ ଚାଷକାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି । ତେବେ ଦୈନିକ ମାତ୍ର ଘଣ୍ଟାଏ ଅଧଘଣ୍ଟା ପରିିଶ୍ରମ କରି ଭଳିକି ଭଳି ପନିପରିବା ସାଙ୍ଗକୁ ବିଭିନ୍ନ ପ୍ରକାରର ଶାଗ ଓ ଜାତିଜାତିକା ଫୁଲ ଫୁଟାଉଛନ୍ତି ସତ୍ୟବାନ ।
ସଂପୂର୍ଣ୍ଣ ଜୈବିକ ପଦ୍ଧତିରେ ଗଛ ଗୁଡିକ ହୃଷ୍ଟପୃଷ୍ଟ କରିବା ପାଇଁ ଗୋବର ଖତ ବ୍ୟବହାର କରୁଛନ୍ତି । ସେହିପରି ରୋଗପୋକ ଦାଉରୁ ଫସଲ ରକ୍ଷା କରିବାକୁ ନିମ୍ବ ତେଲ ଓ ନିମ୍ବ ଖତର ପ୍ରୟୋଗ କରୁଛନ୍ତି ।ବଗିଚାରୁ ଦୈନିକ ପାରିବାରିକ ଆବଶ୍ୟକତା ପୂରଣ କରିବା ସହିତ ଅନ୍ୟମାନଙ୍କୁ ବି ଜୈବିକ କୃଷି ପାଇଁ ପ୍ରୋତ୍ସାହନ ଦେଉଛନ୍ତି ସତ୍ୟବାନ ।
ସତ୍ୟବାନଙ୍କ ବଗିଚାରେ ଲାଗିଛି ବିଭିନ୍ନ ପ୍ରକାରର ଫୁଲ । କଦଳୀ ,ଆମ୍ବ ,ପିଜୁଳି ସହିତ ବାଇଗଣ, କୋବି, ବିନ୍, ବ୍ରୋକୋଲି, ଟମୋଟୋ ଭଳି ବିଭିନ୍ନ ପ୍ରକାରର ସବୁଜ ପନିପରିବାରେ ହସୁଛି ତାଙ୍କ ବଗିଚା । ଏକ ଛୋଟିଆ ଜାଗାରେ କୋଦାଳ ସାହାଯ୍ୟରେ ତିଆରି କରିଥିବା ବଗିଚାରୁ ସେ ପ୍ରତିଦିନ ସକାଳୁ ସତେଜ ପନିପରିବା ପାଉଛନ୍ତି । ବର୍ତ୍ତମାନ ସମୟରେ ପ୍ରଚୁର ପରିମାଣରେ ରାସାୟନିକ ସାର ଓ କୀଟନାଶକ ଔଷଧ ପ୍ରୟୋଗ କରି ଉତ୍ପାଦିତ କୃଷି ଦ୍ରବ୍ୟ ବଜାରରେ ବିକ୍ରି ହେଉଛି । ଯାହା ସ୍ବାସ୍ଥ୍ୟପକ୍ଷେ ଅତ୍ୟନ୍ତ କ୍ଷତିକାରକ । ତେଣୁ ଜୈବିକ ପଦ୍ଧତିରେ ନିଜ ପାଇଁ ଚାଷ କରି ଉତ୍ପାଦିତ ଖାଦ୍ୟ ଖାଇବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ସତ୍ୟବାନ । ଏହାଦ୍ବାରା ଆମେ ସୁସ୍ଥ ଓ ସୁରକ୍ଷିତ ରହିପାରିବା ବୋଲି ସେ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ