ସୁବର୍ଣ୍ଣପୁର: ସପ୍ତପୁରୀ ଅମାବାସ୍ୟା ଉପଲକ୍ଷେ ସହରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପାଳନ ହେବ ବିଶ୍ବ ପ୍ରସିଦ୍ଧ ଲଙ୍କାପୋଡି ଉତ୍ସବ । ଦିନ ବେଳା କୁନି କୁନି ଝିଅମାନେ କୁଢିକାଞ୍ଚି ନେଇ ଖେଳିବେ ତ ସନ୍ଧ୍ୟାରେ ଜମିବ ପୁଅମାନଙ୍କର ଲଙ୍କାପୋଡା ପର୍ବ । ହନୁମାନଙ୍କର ଲାଞ୍ଜରେ ନିଆଁ ଲଗାଇ ପାଳନ ହେବ ପର୍ବ । ଏନେଇ ଉତ୍ସବମୁଖର ହୋଇ ଉଠିଛି ସୁବର୍ଣ୍ଣପୁର ସହର ।
କିମ୍ବଦନ୍ତୀ ଅନୁଯାୟୀ ପ୍ରାଚୀନ କାଳର ହନୁମାନଙ୍କ ଲଙ୍କାପୋଡାକୁ ମନେ ପକାଇ ଏଠାରେ ପାଳନ କରାଯାଏ ଲଙ୍କାପୋଡା ପର୍ବ । ତେବେ ଏହି ପର୍ବ ପାଇଁ ଜିଲ୍ଲା ଲଙ୍କାପୋଡି ମହୋତ୍ସବ କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ଟେରାକୋଟା ହନୁମାନ ପ୍ରତିଯୋଗିତା ପାଇଁ ମଧ୍ୟ ସଦର ମହକୁମା ଟାଉନ ହଲରେ ପ୍ରତିଯୋଗୀମାନଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ।
ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା 7ଟାରେ ଟେରାକୋଟା ହନୁମାନ ପ୍ରତିଯୋଗିତା ଆୟୋଜିତ ହେବ । ଏହାପରେ ସହରର ପ୍ରତିଟି ପଡାରୁ ପୁଅମାନେ ନିଜର ସୁସଜ୍ଜିତ ହନୁମାନଙ୍କ ଲାଙ୍ଗୁଡରେ ନିଆଁ ଲଗାଇ ସହର ପରିକ୍ରମା କରିବା ସହ ଶତାଧିକ ପ୍ରତିଯୋଗିତା ପାଇଁ ଟାଉନ ହଲ୍ରେ ପହଞ୍ଚି ଭାଗ ନେବେ । ବିଚାରକମାନେ ଟେରାକୋଟା ହନୁମାନର ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ପାଇଁ ଲଙ୍କାପୋଡି ମହୋତ୍ସବ କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
ତେବେ ସହରରେ ଆୟୋଜିତ ହେଉଥିବା ଏହି ବିଶ୍ବ ପ୍ରସିଦ୍ଧ ପର୍ବ ଦେଖିବା ପାଇଁ ଏବେଠାରୁ ସହରରେ ପର୍ଯ୍ୟଟକଙ୍କ ଭିଡ ଲାଗିବା ଆରମ୍ଭ ହୋଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ