ସୁବର୍ଣ୍ଣପୁର: ଜିଲ୍ଲାର ସଦର ମହକୁମାରେ ଥିବା ବସଷ୍ଟାଣ୍ଡର ଯାତ୍ରୀ ବିଶ୍ରାମାଗାର ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି । ପ୍ରାୟ 10 ଲକ୍ଷରୁ ଅଧିକ ବ୍ୟୟରେ ନିର୍ମିତ ହୋଇଥିବା ଏହି ବିଶ୍ରାମାଗାର ଅଧାପନ୍ତରିଆ ଭାବେ ଉଦଘାଟନ କରାଯାଇଥିଲା । ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ କେପି ସିଂଦେଓ 3 ଅକ୍ଟୋବର 2006 ମସିହାରେ ଏହାକୁ ଉଦଘାଟନ କରିଥିଲେ । ହେଲେ ଉଦଘାଟନ ପରେ ଏହା ବୁଲା ଗାଈ ଗୋରୁ ଓ କୁକୁରଙ୍କ ବିଶ୍ରାମାଗାରରେ ପରିଣତ ହୋଇଛି ।
ଏହି ବିଶ୍ରାମାଗାରରେ ଏଯାଏଁ ପାନୀୟ ଜଳ ସୁବିଧା ବି କରାଯାଇ ପାରିନାହିଁ । ଗାଡି ମୋଟର ସୂଚନା ପ୍ରଦାନ କରିବା ତ ଦୂରର କଥା, ବିଶ୍ରାମାଗାର ଭିତରେ ପଡି ରହିଛି କୂଢକୂଢ ଆବର୍ଜନା । ଚାରିପାଖରେ ଜମି ରହିଛି ମଇଳା । ସେହିପରି ବିଶ୍ରାମାଗାର ଚାରିପାଖରେ ଯାତ୍ରୀମାନଙ୍କ ପାଇଁ ଛାଇ ଟିକିଏ ବି ବ୍ୟବସ୍ଥା କରାଯାଇ ପାରିନାହିଁ । ସଦର ପୌର ପରିଷଦ ପକ୍ଷରୁ ମାଗଣା ଶୌଚାଳୟର ବ୍ୟବସ୍ଥା ବି କରାଯାଇ ପାରିନାହିଁ । ନା ପାଣି ଅଛି ନା ଶୌଚ ହେବା ପାଇଁ ସୁବିଧା କରାଯାଇଛି ।
ଯାତ୍ରୀମାନେ ପ୍ରଚଣ୍ଡ ଖରା ହେଲେ ଆଖପାଖର ପାନ ଚା’ ଦୋକାନ ଆଗରେ ଛିଡା ହୋଇ ବସକୁ ଅପେକ୍ଷାା କରିଥାନ୍ତି । ତେବେ ବାରମ୍ବାର ଦାବି ଏବଂ ଆପତ୍ତି ପରେ ବି ଏହି ବିଶ୍ରାମାଗାର ସମସ୍ୟାର ସମାଧାନ କରାଯାଇ ପାରୁନାହିଁ । ତେବେ ଜିଲ୍ଲାର ବୀରମହାରାଜପୁର ବିଧାୟକ ପରିବହନ ମନ୍ତ୍ରୀ ହେବା ପରେ ବି ସଦର ମହକୁମାର ଏହି ବସଷ୍ଟାଣ୍ଡ ପରିତ୍ୟକ୍ତ ଅବସ୍ଥାରେ ପଡିରହିବା ଘୋର ଅପମାନ ଜନକ ବୋଲି ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖନାଥ ସାହୁ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ