ସୁବର୍ଣ୍ଣପୁର : ଉଦଯାପିତ ହେଲା ଜିଲ୍ଲା ଲୋକ ମହୋତ୍ସବ ସୁବର୍ଣ୍ଣ-2023 । ପଶ୍ଚିମ ଓଡିଶାର ବିଭିନ୍ନ ପ୍ରକାରର ଲୋକନୃତ୍ୟରେ ଦୁଲୁକି ଉଠିଥିଲା ଫକୀର ପଟ୍ଟନାୟକ ମୁକ୍ତ ମଞ୍ଚ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାରମାନେ ନିଜ ନିଜର ଲୋକନୃତ୍ୟ ପରିବେଷଣ କରି ଦେଖଣାହାରୀଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥିଲେ । ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ ରସରକେଲୀ, ଡାଲଖାଇ, ମାଏଲାଜଡ, ଚୁଟକୁଚୁଟା ଆଦି ଲୋକନୃତ୍ୟକୁ ବେଶ୍ ଉପଭୋଗ କରିଥିଲେ ଦର୍ଶକ ।
ସେହିପରି ଢୋଲ, ନିଶାନ, ତାସା, ମହୁରୀ ଆଦି ବାଦ୍ୟ ଯନ୍ତ୍ରରେ ବଜାଶାଲର ଗୁରୁଗମ୍ଭୀର ଧ୍ବନିରେ ଫାଟି ପଡୁଥିଲା ମହୋତ୍ସବ ପଡିଆ । ଏଥର ସୁବର୍ଣ୍ଣ-2023ରେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବି ମଞ୍ଚ ଉପରେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ଯାହା ଦର୍ଶକଙ୍କୁ ବେଶ୍ ମନ୍ତ୍ରମୁଗ୍ଧ କରିଥିଲା । ଏହି ମହୋତ୍ସବର ଉଦଯାପନୀ ରାତିରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ଯାଦୁ ପ୍ରଦର୍ଶନ କରିଥିଲେ । ଯାଦୁ ବାକ୍ସ ଭିତରେ ମଣିଷକୁ ପୁରାଇଥିଲେ । ଏହାପରେ ଯାଦୁ ବାକ୍ସର ବିଭିନ୍ନ ପାର୍ଶ୍ବରୁ ଧାର ତଲୁଆର୍ ପୁରାଇଥିଲେ । ହେଲେ ବାକ୍ସ ଖୋଲିବା ବେଳକୁ ସେଥିରେ ଭର୍ତ୍ତି ହୋଇଥିବା ମଣିଷ ଅକ୍ଷତ ଭାବେ ବାହାରିବା ବେଶ ଚିତ୍ତାକର୍ଷକ ଥିଲା ।
ସେହିପରି ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ଏହି ମଞ୍ଚରେ ନୃତ୍ୟ କରି ଜନସାଧାରଣଙ୍କୁ ବାଲ୍ୟ ବିବାହ ରୋକିବା ଦିଗରେ ସଚେତନତାର ବାର୍ତ୍ତା ଦେଇଥିଲେ । ସେହିପରି ଜିଲ୍ଲାର ପୂର୍ବତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଗୀତ ପରିବେଷଣ କରିବାରେ ନିଜକୁ ରୋକି ପାରି ନଥିଲେ । ତାଙ୍କ ସଙ୍ଗୀତରେ ସେ ସମସ୍ତଙ୍କୁ ମତୁଆଲା କରିଥିଲେ । ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବରିଷ୍ଠ ଅଫିସର ଓ ସରକାରୀ କର୍ମଚାରୀ ନିଜ ନିଜର କଳା ନୈପୁଣ୍ୟତା ପ୍ରଦର୍ଶନ କରି ଲୋକ ମହୋତ୍ସବକୁ ବେଶ୍ ଉପଭୋଗ କରି ପାରିଥିଲେ । ଏହି ମହୋତ୍ସବରେ କଳାକାରମାନେ ନିଜକୁ ସାମିଲ କରି ଯେତିକି ଆନନ୍ଦିତ ହୋଇଥିଲେ ଦର୍ଶକ ମଧ୍ୟ ଭରପୁର ମନୋରଞ୍ଜନ ପାଇଥିଲେ ।
ଇଟିଭି ଭାରତ, ସୁବର୍ଣ୍ଣପୁର