ସୁବର୍ଣ୍ଣପୁର: ଦିନକୁ ଦିନ ବଢିବାରେ ଲାଗିଛି ବଜ୍ରକାପ୍ତା ଚୋରା ଚାଲଣ । ସୁବର୍ଣ୍ଣପୁରର ସଦର ବ୍ଳକ ଅନ୍ତର୍ଗତ ଲଛିପୁର ଅଞ୍ଚଳରୁ ଦୁଇଟି ବଜ୍ରକାପ୍ତା ଉଦ୍ଧାର କଲା ବନ ବିଭାଗର ଏସଟିଏଫ (ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ) । ଏସଟିଏଫ ଦୁଇ ଗୋଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବାରେ ସଫଳ ହୋଇଛି । ଏହି ଜୀବନ୍ତ ବଜ୍ରକାପ୍ତା ଦୁଇଟିକୁ ଦୁଇ ବେପାରୀଙ୍କ ପାଖରୁ ଜବତ କରିବା ସହ ଉଭୟ ବେପାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଏସଟିଏଫ ।
ତେବେ ବନ ବିଭାଗର ସୂଚନାନୁଯାୟୀ, ସୁବର୍ଣ୍ଣପୁର ମୁଖ୍ୟ ରାସ୍ତାର ଏକ ଗଛ ତଳେ ଜୀବନ୍ତ ବଜ୍ରକାପ୍ତା ଦୁଇଟିକୁ ଧରି ବେପାରୀଙ୍କୁ ବିକିବା ପାଇଁ ଅପେକ୍ଷା କରିଥିଲେ ଡିଲର । ଏହି ସମୟରେ ବିଶେଷ ସୂତ୍ରରୁ ଖବର ପାଇଁ ଏସଟିଏଫ ଚଢାଉ କରିଥିଲା । ଅଭିଯୁକ୍ତମାନଙ୍କ ପାଖରୁ 7 କେଜି ଓ 3 କେଜି ବିଶିଷ୍ଟ ଦୁଇ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହିତ ଅଭିଯୁକ୍ତମାନଙ୍କୁ ଏସଟିଏଫ ଗିରଫ କରିଛି । ଅଭିଯୁକ୍ତ ଦ୍ବୟ ଲଛିପୁର ଥାନା ଅନ୍ତର୍ଗତ ଝାଙ୍କର ପାଲି ଗାଁର ଦୁଇ ଭାଇ ବ୍ୟାସଦେବ ଧରୁଆ ଓ ନବଦୀବ ଧରୁଆ ବୋଲି ଜଣାପଡିଛି । ଏସଟିଏଫ ବନଖଣ୍ଡ ଅଧିକାରୀଙ୍କୁ ଦୁଇ ଅଭିଯୁକ୍ତଙ୍କ ସମେତ ଦୁଇ ଜୀବନ୍ତ ବଜ୍ରକାପ୍ତାକୁ ହସ୍ତାନ୍ତର କରିଛି ।
ତେବେ ବନ ସୁରକ୍ଷା ଆଇନ 1972 ଅନୁଯାୟୀ ଉଭୟଙ୍କ ନାଁରେ ଏକ ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ ଜାରି ରଖିଛି ବିଭାଗ । ବନ ବିଭାଗ ପକ୍ଷରୁ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର ହୋଇଥିବା ସୂଚନା ରହିଛି । ତେଣୁୁ ଉଭୟଙ୍କୁ ସଦର ବିଚାର ବିଭାଗୀୟ ଜେଲ ହାଜତକୁ ବିଭାଗ ପଠେଇ ଦେଇଥିବା ଜଣାପଡିଛି ।
ତେବେ ଜିଲ୍ଲାରେ ବ୍ୟାପକ ପରିମାଣରେ ବନ୍ୟ ଜନ୍ତୁ ଶିକାର ଓ ବେପାର ବଢି ଚାଲିଛି । କେତେବେଳେ ଦାନ୍ତ ପାଇଁ ଦନ୍ତାହାତୀ ଶିକାର କରାଯାଉଛି ତ କେତେବେଳେ ବାଘ ଚମଡା, ନଖ, ଦାନ୍ତ ପାଇଁ ବାଘ ପରି ବିରଳ ବନ୍ୟଜନ୍ତୁର ଶିକାର ହେଉଥିବା ଦେଖିବାକୁ ମିଳୁଛି ।ବାରହା ଶିକାର ତ ଏକ ପ୍ରକାର ଶିକାରୀମାନଙ୍କ ନିତି ଦିନିଆ କାର୍ଯ୍ୟରେ ପରିଣତ ହୋଇଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କେବଳ କାଗଜପତ୍ରରେ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏମାନଙ୍କ ସୁରକ୍ଷା ଦିଗରେ ବନ ବିଭାଗ ଯତ୍ନବାନ ନଥିବା ସାଧାରଣରେ ଅଭିଯୋଗ ହୋଇଛି । ଏହାଛଡା ଅନେକ ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ପଶୁଙ୍କ ମୃତ୍ୟୁ ହେଉଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର