ସୁବର୍ଣ୍ଣପୁର: ଦେବାଙ୍ଗୁଲୁ ବା ଢ଼େରା ସମ୍ପ୍ରଦାୟର କୃଷି ଭିତ୍ତିକ ହରଗୌରୀ ଯାତ୍ରାରେ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହୋଇଥିଲା । ଦେଵ ଦମ୍ପତି ଶେଷ ସନ୍ଧ୍ୟା ପାଇଁ ଗୋଟିଏ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ପରେ ମଧ୍ୟରାତ୍ରିରେ ସାହି ପରିକ୍ରମା କରିବେ ।
ଆଜି ଠାକୁରାଣୀଙ୍କ ଷୋଡଶ ଉପଚାର ପୂଜା କରାଯାଇଛି । ଆଜି ଶ୍ରଦ୍ଧାଳୁମାନେ ଠାକୁରାଣୀଙ୍କ ମନ୍ଦିର ଆଗରେ ପାରମ୍ପରିକ ବାଦୀଖେଳ ପ୍ରଦର୍ଶନ କରିଛନ୍ତି । ଗୌରାମା ସମ୍ବ୍ରାଲୁ ଏହି ଯାତ୍ରାରେ ସହରର ରାମେଶ୍ବର ମନ୍ଦିରର ଚାଷ ଜମିରୁ ଧାନ ଗଛକୁ ଗୌରୀ ଭାବେ ଆବହନ କରାଯାଇ ଥିବାବେଳେ ସହରର ଜଣେ ବିଶିଷ୍ଠ ଶିଳ୍ପୀଙ୍କ ବାସଭବନରୁ ହରଙ୍କୁ ନିମନ୍ତ୍ରଣ କରା ଯାଇଥିଲା । ଠାକୁରାଣୀ ପୀଠର ସମ୍ମୁଖରେ ଯାତ୍ରା ପାଇଁ ନିର୍ମିତ ମଣ୍ଡପରୁ ଦେବଦେବୀ ସପ୍ତାହ ବ୍ୟାପି ଅବସ୍ଥାନ କରିବା ପରେ ଆସନ୍ତାକାଲି ବିସର୍ଜନ ଶୋଭାଯାତ୍ରାରେ ନଗର ଭ୍ରମଣ କରିବେ । ସହର ପରିକ୍ରମା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାଂସ୍କୃତିକ ଦଳଗୁଡିକୁ ସାମିଲ ହେବା ପାଇଁ ଯାତ୍ରା କମିଟି ପକ୍ଷରୁ ନିମନ୍ତ୍ରଣ କରାଯାଇଛି।
ଦକ୍ଷିଣ ଭାରତୀୟ ଶାକ୍ତ ଓ ସ୍ଥାନୀୟ ଶୈବ ପରମ୍ପରାର ମିଶ୍ରଣରେ ପାଳିତ ହେଉଥିବା ଏହି କୃଷି ଭିତ୍ତିକ ପର୍ବରେ ଅନେକ ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି । ହରଗୌରୀଙ୍କ ଦର୍ଶନ ପାଇଁ ଖାଲି ସହର କାହିଁକି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜାଗାରୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଯାତ୍ରା କମିଟି ପକ୍ଷରୁ ବି ଅନେକ ସାଂସ୍କୃତିକ ଓ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିସର୍ଜନ ଶୋଭାଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ