ସୁବର୍ଣ୍ଣପୁର: ବେଆଇନ ମଦ କାରବାରକୁ ବିରୋଧ କରି ବିନିକା ଥାନା ଘେରାଉ କଲେ ଶତାଧିକ ମହିଳା । ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର 12 ନମ୍ବର ୱାର୍ଡ ନୂଆଁପାଲି ଗାଁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ନେତୃତ୍ୱରେ ଗାଁର ଶତାଧିକ ମହିଳା ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।
ଗାଁରେ ବେଆଇନ ଭାବେ ବ୍ୟାପକ ପରିମାଣରେ ଦେଶୀ ମଦ କାରବାର ହେଉଥିବାରୁ ସାମାଜିକ ସୌହାର୍ଦ୍ଧ୍ୟ ନଷ୍ଟ ହେବା ସହିତ ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ମଦପିଇ ପଥ ଭ୍ରଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ମହିଳା ଗୋଷ୍ଠୀ । ମଦ ଯୋଗୁଁ ପରିବାର ମଧ୍ୟରେ ଝଗଡା ହେବା ସହିତ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେଉଥିବା ଆନ୍ଦୋଳନକାରୀ ମହିଳାମାନେ ଅଭିଯୋଗ କରିଛନ୍ତି । ଗାଁରେ ସୁସ୍ଥ ପରିବେଶ ସୃଷ୍ଟି କରିବା ସହିତ ଏହି ବେଆଇନ ମଦ କାରବାର ବନ୍ଦ କରିବା ପାଇଁ 4 ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହିତ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି ସେହିପରି । ମଦ ବିକ୍ରିଥିବା ଗାଁର ଜୟରାମ ମଲ୍ଲିକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଛି । ମଦ ବିକ୍ରି ବନ୍ଦନହେଲେ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଧମକ ଦେଇଛନ୍ତି ଆନ୍ଦୋଳନକାରୀ ମହିଳା ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ