ସୁବର୍ଣ୍ଣପୁର : ମଣ୍ଡିରେ ଧାନ ବିକ୍ରି ନ ହେବାରୁ ଚାଷୀଙ୍କ ଦ୍ବାରା ରାସ୍ତାରୋକ । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ଅନ୍ତର୍ଗତ କୁମ୍ଭାରମୁଣ୍ଡା ପଞ୍ଚାୟତର ପ୍ରାୟ ୨୫ରୁ ଅଧିକ ଚାଷୀଙ୍କ ୧୫୦୦ ରୁ ୨୦୦୦ କୁଇଣ୍ଟାଲ ଧାନ ଟୋକନ ନ ମିଳିବାରୁ ବିକ୍ରି ହୋଇ ନଥିବା ଅଭିଯୋଗ ହୋଇଛି । କାଗଜ ପତ୍ରରେ ଭୁଲ ଯୋଗୁଁ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ବାଧ୍ୟ ହୋଇ ଚାଷୀମାନେ କୁମ୍ଭାରମୁଣ୍ଡା ଗ୍ରାମ ନିକଟରେ ମୁଖ୍ୟରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ଚାଷୀଙ୍କ ଧାନ ନଉଠିବ ସେମାନେ ଧାରଣାରୁ ଓହରିବେ ନାହିଁ ବୋଲି କହିଛନ୍ତି ।
ଗତ ୪ ତାରିଖ ଦିନ ମଧ୍ୟ ସେମାନେ ଧାରଣା ଦେଇଥିଲେ । ଶୀଘ୍ର ଧାନ ଉଠିବା ନେଇ ପ୍ରସାଶନିକ ଅଧିକାରୀଙ୍କ ପ୍ରତିଶୃତି ପରେ ଧାରଣାରୁ ଓହରି ଯାଇଥିଲେ । ହେଲେ ପ୍ରତିଶ୍ରୁତି ପୂରଣ ନ ହେବାରୁ ପୁଣି ଆଜି ଧାରଣା ଦେଇଛନ୍ତି । ତରଭା ତହସିଲଦାର ତ୍ରିପୁର ମହାନନ୍ଦଙ୍କ ସହ ଅନ୍ୟାନ୍ୟ ବ୍ଲକ ପ୍ରଶାସନିକ ଅଧିକାରୀମାନେ ଧାରଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ, ଚାଷୀମାନେ ଯେ ପର୍ଯ୍ୟନ୍ତ ଧାନ ନଉଠିବ ରାସ୍ତାରୋକରୁ ହଟିବେ ନାହିଁ ବୋଲି ଜିଦ୍ ଧରି ବସିଥିଲେ । ତେବେ ତହସିଲଦାର ଚାଷୀ ମାନଙ୍କୁ ଧାନ ବିକ୍ରି ପାଇଁ ସୁବିଧା କରିବାକୁ ଦାୟିତ୍ୱ ନେବାରୁ ଚାଷୀମାନେ ରାସ୍ତା ଅବରୋଧରୁ ଓହରିଥିବା ଜଣାପଡିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ