ସୁବର୍ଣ୍ଣପୁର: ଜିଲ୍ଲା ଗବଜୁରି ଗାଁର ରାସ୍ତା ନିର୍ମାଣ ପାଇଁ ଜମି ହରାଇବାକୁ ଥିବା ରୟତ ପ୍ରଜା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାସ୍ତା ନିର୍ମାଣରେ ଜମି ପ୍ରଦାନ ପାଇଁ ଡିସିମିଲ ପ୍ରତି ୬୦ ହଜାର ଟଙ୍କା କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି ରୟତ ପ୍ରଜା । ଏହାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲୋକେ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ତା ସହିତ ଜିଲ୍ଲା ପ୍ରଶାସନ ନିକଟରେ ନିଜର ଦାବି ଉପସ୍ଥାପନ କରିଛନ୍ତି ।
ପ୍ରାୟ 14 ଜଣ ରୟତ ପ୍ରଜା ନିଜ ଜମିର ଉଚିତ ମୂଲ୍ୟ ତଥା ବଜାର ଦରରେ ମୂଲ୍ୟ ପ୍ରଦାନ ପାଇଁ ଦାବି କରିଛନ୍ତି । ଜିଲ୍ଲାର ବୈଦ୍ୟନାଥ-ଗବଜୁରୀ ପୋଲର ଗବଜୁରୀ ପାର୍ଶ୍ୱରେ ଆପ୍ରୋଚ ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ରୟତ ପ୍ରଜା ମାନଙ୍କର ପୈତୃକ କୃଷି ଜମିକୁ ବିଭାଗ ପାଖରେ ବିକ୍ରି କରିବା ପାଇଁ ଅନୁରୋଧ କରିଛି । ତେବେ ଜଣେ ରୟତ ପ୍ରଜାର କୃଷି ଜମିକୁ ଡିସିମିଲ ୬୦ ହଜାର ଟଙ୍କାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ କିଣିଥିବା ବେଳେ ଅନ୍ୟାନ୍ୟ ୧୪ ଜଣ ପ୍ରଜାଙ୍କର ଜମି ଅଳ୍ପ ମୂଲ୍ୟରେ ଦେବା ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାପ ସୃଷ୍ଟି କରାଯାଉଥିବା ଅଭିଯୋଗ ହୋଇଛି ।
ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପାଦନ ନ କରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପୋଲ ନିର୍ମାଣ କାର୍ଯ୍ୟ ଶେଷ କରିଛି । ଆପ୍ରୋଚ ରାସ୍ତା ନିର୍ମାଣ ହୋଇ ପାରୁ ନ ଥିବାରୁ ପୋଲ କାର୍ଯ୍ୟ ଶେଷ ହୋଇ ପାରୁ ନାହିଁ । ସେହିପରି ରୟତ ପ୍ରଜା ମାନଙ୍କ କୃଷି ଜମି ଅଧିଗ୍ରହଣ କରା ନ ଯାଇ ରାସ୍ତା ନିର୍ମାଣ ପାଇଁ କୃଷିଜମି ଉପରେ ମାଟି ପକାଇ ଦିଆ ଯାଇଥିବା ଅଭିଯୋଗ ହୋଇଛି ।
ରୟତ ପ୍ରଜାମାନେ ନିଜ ଚାଷ ଜମିରେ ନା କୃଷି କାର୍ଯ୍ୟ କରିଛନ୍ତି ନା ପ୍ରଶାସନ ପାଖରେ ବିକ୍ରି କରିଛନ୍ତି । ତେବେ ପ୍ରଜା ମାନଙ୍କୁ ଡିସିମିଲ ପିଛା ୬୦ ହଜାର ଟଙ୍କା ଦେଇ ଜମି ଅଧିଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ଜମି ଅଧିଗ୍ରହଣ ନ କରି ଜୋର ଜବରଦସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କରାଗଲେ ରୟତ ପ୍ରଜାମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ