ସୁବର୍ଣ୍ଣପୁର: ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ହଜାର ହଜାର ଶ୍ରଦ୍ଧାଳୁଙ୍କ ହରିବୋଲ ଓ ହୁଳହୁଳିର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ତ୍ରିକୂଟ ପର୍ବତର ଛଳିଆ ଶିଖର ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାଦଦେଶକୁ ଗୋଟି ପହଣ୍ଡିରେ ଅଣାଯାଇ ରଥରେ ବିଜେ କରାଯାଇଛି ।
ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଓ ପରମ୍ପରାକୁ ନେଇ ତିନିଠାକୁରଙ୍କ ଦ୍ବାରଫିଟା, ମଙ୍ଗଳ ଆଳତୀ, ସକାଳ ଧୂପ, ନୈବେଦ୍ୟ ସହ ବେଶ ଓ ଟାହିଆ ଲାଗିପରେ ପହଣ୍ଡି ଆରମ୍ଭ ହୋଇଥିଲା । ଛଳିଆ ଶିଖରରୁ ଛଳ ଠାକୁର ବନର ଦେବତା ବନଫୁଲର ବାସରେ ଘୋଷଯାତ୍ରାକୁ ବାହାରିଥିଲେ । ତିନି ଠାକୁର ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ପହଣ୍ଡିରେ ୧୦୮ ପାହାଚ ଅତିକ୍ରମ କରି ତଳକୁ ଓହ୍ଲାଇ ଥିବାବେଳେ ପହଣ୍ଡି ଗୀତର ମାଦକତାରେ ପ୍ରଭୁ ଜଗନ୍ନାଥ ରଥକୁ ବିଜେ କରିଥିଲେ । ପାହାଡ ପାଦଦେଶର ବଡଦାଣ୍ଡରେ ପୂର୍ବ ପ୍ରସ୍ତୁତ ତିନି ରଥରେ ଠାକୁରମାନଙ୍କୁ ରଥାରୁଢ଼ କରାଯାଇ ରଥ ଟଣା ହୋଇଥିଲା । ବିଗତ ବର୍ଷମାନଙ୍କ ପରି ଏଥର ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ ପାତାଳି ଶ୍ରୀକ୍ଷେତ୍ରଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ନବଦିନ ବ୍ୟାପି ଘୋଷଯାତ୍ରା ଶ୍ରୀମନ୍ଦିର ନୀତି କାନ୍ତିରେ ଅନୁଷ୍ଠିତ ହେଉଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର