ସୁବର୍ଣ୍ଣପୁର: ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି ମହାନଦୀ । ସୁବର୍ଣ୍ଣପୁର ସହରରେ ଏକ ମାତ୍ର ନଦୀ ପ୍ରବାହିତ ହେଉଥିବାବେଳେ ନିର୍ଗତ ଦୂଷିତ ପାଣି ସିଧାସଳଖ ମହାନଦୀରେ ମିଶୁଛି । ପୌର ପରିଷଦର ଖାମ ଖିଆଲି ମନୋବୃତ୍ତି ଯୋଗୁଁ ଦିନକୁ ଦିନ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ସହରରେ ଥିବା ବିଭିନ୍ନ ଅଞ୍ଚଳର ଡ୍ରେନ ପାଣି ସିଧାସଳଖ ମହାନଦୀରେ ମିଶୁଛି । ଡ୍ରେନେଜ ବ୍ୟବସ୍ଥା ତଥା ଅସମ୍ପୂର୍ଣ୍ଣ ଡ୍ରେନ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଅପରପକ୍ଷେ ନୀତିଦିନ ସ୍ନାନ ଶୌଚ ଏବଂ ଅଧିକାଂଶ ଲୋକେ ପିଇବା ପାଣି ପାଇଁ ନିର୍ଭର କରୁଛନ୍ତି । ମହାନଦୀକୁ ପାଣିକୁ ବ୍ୟବହାର କରି ନାନାଦି ରୋଗରେ ଶିକାର ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଅପରପକ୍ଷେ ସରକାର ଶୁଦ୍ଧ ପାନୀୟ ଜଳ ଯୋଗାଣରେ କୋଟିକୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ବାଟ ମାରଣ ହୋଇ ସଫଳ ରୂପାୟନ ହୋଇ ପାରୁନାହିଁ ।
ବିଗତ ଦିନରେ ମହାନଦୀ ପାଣି ବ୍ୟବହାର କରି ସହରର ଶହ ଶହ ଲୋକ ଡାଇରିଆ ରୋଗରେ ଆକ୍ରାନ୍ତ ହୋଇଥିଲେ । ହେଲେ ଦୂଷିତ ପାଣି ନିଷ୍କାସନ ପାଇଁ ଏଯାଏଁ ସ୍ବରେଜ ବ୍ୟବସ୍ଥା ହୋଇ ପାରିନାହିଁ । ପ୍ରଚଣ୍ଡ ଗ୍ରୀଷ୍ମରେ ଲୋକେ ମହାନଦୀର ବିଭିନ୍ନ ଘାଟରେ ସ୍ନାନ ଶୌଚ ଆଦି କରୁଛନ୍ତି । ତେଣୁ ପୁନଃ ପାଣି ଦୂଷିତ ହେବାର ସମ୍ଭାବନା ରହିଛି। ଦୂଷିତ ପାଣି ଯୋଗୁଁ ଜଳଚର ଜୀବଙ୍କ ପ୍ରତି ମଧ୍ୟ ବିପଦ ରହିଛି। ପୌର ପରିଷଦର ଅବହେଳା ଯୋଗୁଁ ଲୋକେ ଦୂଷିତ ପାଣି ବ୍ୟବହାର କରୁଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ସହରବାସୀଙ୍କ ସୁସ୍ଥ ଜୀବନ ପାଇଁ ମହାନଦୀକୁ ସ୍ବଚ୍ଛ ରଖିବା ନିମନ୍ତେ ଉଚିତ ପଦକ୍ଷେପ ସହ ସ୍ବରେଜ ବ୍ୟବସ୍ଥା କରିବାକୁ ବିଜେପି ଦାବି କରିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ