ସୁବର୍ଣ୍ଣପୁର: ପଶ୍ଚିମ ଓଡିଶାର ଲୋକପର୍ବ ନୂଆଁଖାଇରେ ରହିଛି ବିଭିନ୍ନ ରୀତିନୀତି ସାଙ୍ଗକୁ ପରମ୍ପରା । ଏହିପରି ସୁବର୍ଣ୍ଣପୁର ଗଡଜାତବାସୀ ନୂଆଁଖାଇ ଦିନ ଅନ୍ନ ବ୍ୟଞ୍ଜନ, ନାନାଦି ପିଠାପଣା ତିଆରି କରି ଖାଇଥାନ୍ତି ତାହାନୁହେଁ, ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ବରୀଙ୍କ ପାଖରେ ଲାଗିହୁଏ ନବାନ୍ନ । ଏଥିପାଇଁ ମା' ସମଲେଇ ମନ୍ଦିରରୁ ଇଷ୍ଟଦେବୀ ମା' ସୁରେଶ୍ବରୀଙ୍କ ସମେତ ଅଷ୍ଟଚଣ୍ଡୀଙ୍କ ପୀଠକୁ ଯାଏ ପାହୁର ।
ଯେଉଁଥିରେ ତିଆରି ହୁଏ ଦେବୀଙ୍କ ପାଇଁ ନବାନ୍ନ ଓ ଭୋଗ । ଚୌହାନ ରାଜାଙ୍କ ଶାସନ ଅମଳରୁ ଆରମ୍ଭ ହୋଇଥିବା ଏହି ପାହୁର ପରମ୍ପରା ଆଜି ବି ଜୀବିତ ରହିଛି । ସୋନପୁର ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ବରୀଙ୍କ ସହିତ ଭଗବତୀ, ସମଲେଇ, ଖମ୍ବେଶ୍ବରୀ, ବୁଢୀ ସମଲେଇ, ଶ୍ମଶାନ ଚଣ୍ଡୀ ଆଦି ଦେବୀଙ୍କ ପାଇଁ ସ୍ବତନ୍ତ୍ର ଭୋଗ ଖଞ୍ଜା ପାହୁର କରାଯାଏ । ପାହୁରରେ ବାସୁମତୀ ଅରୁଆ ଚାଉଳ, ମୁଗ, ଗୁଆଘିଅ, ଗୁଡ, ପନିପରିବା, ପିଠାପଣା ତିଆରି ପାଇଁ ସାମଗ୍ରୀ, ପଞ୍ଚାମୃତ ସାଙ୍ଗକୁ ନୂଆଁଧାନ ଆଦିର ବ୍ୟବସ୍ଥା କରାଯାଇଛି । ଢୋଲ, ମହୁରୀ ଆଦି ବାଦ୍ୟରେ ଏକ ଆଡମ୍ଭର ପୂର୍ଣ୍ଣ ଶୋଭାଯାତ୍ରାରେ ମା' ସମଲେଇଙ୍କ ପୀଠରୁ ଇଷ୍ଟଦେବୀ ସୁରେଶ୍ବରୀଙ୍କ ସମେତ ଅଷ୍ଟଚଣ୍ଡୀଙ୍କ ପୀଠକୁ ଏହି ପାହୁର ଯାଏ ।
ଏହି ପାହୁରରୁ ପ୍ରସ୍ତୁତ ନବାନ୍ନ ଓ ଭୋଗ ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ଇଷ୍ଟଦେବୀ ମା' ସୁରେଶ୍ବରୀଙ୍କ ପାଖରେ ଲାଗିବା ପରେ ସୁବର୍ଣ୍ଣପୁର ଜିଲ୍ଲାବାସୀ ଓ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳର ଜନସାଧାରଣ ନବାନ୍ନ ଗ୍ରହଣ କରନ୍ତି । ପୂର୍ବରୁ ରାଜ ଉଆସର ମା' କନକ ଦୁର୍ଗାଙ୍କ ମନ୍ଦିରରୁ ଏହି ପାହୁର ଯାଉଥିବାବେଳେ ଏବେ ସୁବର୍ଣ୍ଣପୁର ପୌର ପରିଷଦ ପକ୍ଷରୁ ମା' ସମଲେଇଙ୍କ ପୀଠରୁ ଏହି ପାହୁର ଅଷ୍ଟଚଣ୍ଡୀଙ୍କ ପୀଠକୁ ଯାଉଛି । ନୂଆଁଖାଇ ପରି ଏକ କୃଷି ଭିତ୍ତିକ ପର୍ବରେ ଦେବା ଦେବୀ ବି ବାନ୍ଧି ହୋଇ ରହିଛନ୍ତି ପାହୁର ଭଳି ଏକ ପରମ୍ପରାରେ ଯାହା ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ