ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ତୁଳସୀକଟା ଗାଁରେ ଅଘଟଣ । କୂଅ ଭିତରକୁ ଯାଇ ଶ୍ବାସରୁଦ୍ଧ ଅବସ୍ଥାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ହେଲେ ସେହି ଗାଁର କାଲିଚରଣ ବାଙ୍କ ଏବଂ ଗୁରୁତର ଦୁଇ ଜଣ ହେଲେ ସେହି ଗାଁର ଲାଲମୋହନ ରଣା ଏବଂ କଲାକୃଷ୍ଣ ଝାଙ୍କର ।
ଆଜି(ରବିବାର) ଗାଁର ହିମାଂଶୁ ପ୍ରଧାନଙ୍କ କୂଅରେ ଏକ ମାଙ୍କଡ ପଡିଥିବା ଜଣାପଡିଥିଲା । ତେବେ ମାଙ୍କଡଟିକୁ ଉଦ୍ଧାର କରିବାକୁ ପ୍ରଥମେ କାଲିଚରଣ କୂଅ ଭିତରକୁ ପ୍ରବେଶ କରିଥିଲେ । ହେଲେ ସେ ଶ୍ବାସରୁଦ୍ଧ ହୋଇ କୂଅ ଭିତରୁ ବାହାରି ପାରିନଥିଲେ । ଫଳରେ, ଜଣେ ପରେ ଜଣେ ଲାଲମୋହନ ରଣା ଏବଂ କଲାକୃଷ୍ଣ ଝାଙ୍କର କୂଅ ଭିତରକୁ ଯାଇ ଶ୍ବାସରୁଦ୍ଧ ହୋଇ ବାହାରି ପାରିନଥିଲେ । ଏଣୁ, ଏମାନଙ୍କୁ ଉଦ୍ଧାର କରିବାକୁ ପୁନର୍ବାର ସୁରଥ ମହାକୁର ନାମକ ଯୁବକ ଯାଇଥିଲେ । ହେଲେ ସେ କୂଅ ଭିତରକୁ ପ୍ରବେଶ କରି ନପାରି ବାହାରି ଆସିଥିଲେ ।
ପରେ ଦମକଳ ବାହିନୀ ପହଞ୍ଚି ଏମାନଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ କାଲିଚରଣ ବାଙ୍କ ଓ ଲାଲମୋହନ ରଣାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ କାଲିଚରଣଙ୍କୁ ମୃତ ଘୋଷଣା କରାଯାଇଛି । ଲାଲମୋହନ ଏବେ ଚିକିତ୍ସାଧୀନ ଥିବାବେଳେ କଲାକୃଷ୍ଣ ଝାଙ୍କରଙ୍କୁ ଏବେ ମଧ୍ୟ ସୋନପୁର ଡାକ୍ତରଖାନାକୁ ଅଣାଯାଉଥିବା ଜଣାପଡିଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର