ସୁବର୍ଣ୍ଣପୁର: ୫ ଦଫା ଦାବି ନେଇ ଅଣଗେଜେଟେଡ ବନ କର୍ମଚାରୀ ସଂଘ ଆନ୍ଦୋଳନ । ଏନେଇ ଗତକାଲି(ଶୁକ୍ରବାର) ବନ କର୍ମଚାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲା ସଂପାଦକ ଭକ୍ତବନ୍ଧୁ ମିଶ୍ର ନେତୃତ୍ବରେ ବିକ୍ଷୋଭ କରିଛନ୍ତି ବନ କର୍ମଚାରୀ ସଂଘ ।
ସୂଚନା ମୁତାବକ, ଅଣଗେଜେଟେଡ ରାଜ୍ୟ ବନ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଗତ ଜୁନ 18 ତାରିଖରେ ୫ ଦଫା ଦାବି ପୂରଣ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ହେଲେ ଆଜକୁ ପ୍ରାୟ ଦୁଇ ସପ୍ତାହ ବିତି ଯାଇଥିଲେ ରାଜ୍ୟ ସରକାର କର୍ମଚାରୀଙ୍କ ଦାବି ପ୍ରତି ଧ୍ୟାନ ଦେଉ ନ ଥିବା ଅଭିଯୋଗ ହୋଇଛି । ତେଣୁ ରାଜ୍ୟ ସରକାର ବନ କର୍ମଚାରୀଙ୍କ ସୁରକ୍ଷା ଓ ଆର୍ଥିକ ସହାୟତା ପାଇଁ ସମ୍ବେଦନଶୀଳତାର ସହିତ ବିଚାର କରିବାକୁ ଦାବି କରିଛନ୍ତି ।
ତେବେ ରାଜ୍ୟରେ 50 ଗୋଟି ସ୍ପେସିଆଲ ଷ୍ଟ୍ରାଇକିଂ ଫୋର୍ସ ବିଭିନ୍ନ ଯାଗାରେ ଗଠନ କରିବା, ଫିଲ୍ଡ ଫରେଷ୍ଟ ଅଫିସର ମାନଙ୍କ ପାଇଁ ସ୍ବତନ୍ତ୍ର ଆର୍ଥିକ ଅନୁଦାନ ପାଣ୍ଠି ଗଠନ କରିବା, ସର୍କିଲ ଇଣ୍ଟିଗ୍ରେଟିଂ ବିଭାଗକୁ ମଜବୁତ କରିବା ସହିତ ନୂତନ ଭାବେ ଗଠନ କରିବା , ରାଜ୍ୟର ରେଞ୍ଜ,ବିଟ ହାଉସ ଅଞ୍ଚଳ ଓ ସେକସନ ଗୁଡିକ ପୁନର୍ଗଠନ କରିବା, ତେଲେଙ୍ଗାନା ରାଜ୍ୟ ଶୈଳୀରେ ମୃତ ବନ କର୍ମଚାରୀଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ଆଦି ଦାବି ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ- ବନ କର୍ମଚାରୀ ମୃତ୍ୟୁ ଘଟଣା: ସମୂହ ଆନ୍ଦୋଳନକୁ ଓହ୍ଲାଇଲା ଅଣଗେଜେଟେଡ ବନସେବା ସଂଘ
ଏହା ମଧ୍ୟ ପଢନ୍ତୁ-ଜିଦ୍ରେ ଅଟଳ ବନ କର୍ମଚାରୀ, ଲୋୟର ପିଏମ୍ଜିରେ ଧାରଣା ପାଇଁ ସଜବାଜ
ଏଥିସହ ଗତ କିଛିଦିନ ତଳେ ଶିମିଳିପାଳରେ ଜଣେ ବନପାଳ ଓ ଜଣେ ବନରକ୍ଷୀଙ୍କୁ ଶିକାରୀମାନେ ହତ୍ୟା କରିଥିବା ବେଳେ ଉଭୟ ବନ କର୍ମଚାରୀଙ୍କ ମୃତ୍ୟୁ ପରେ ରାଜ୍ୟ ସରକାରଙ୍କ ଆଗରେ ରାଜ୍ୟ ସଂଘ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି । ଏବେ ଅଣ ଗେଜେଟେଡ ବନ କର୍ମଚାରୀମାନେ ଜଙ୍ଗଲ ଅଞ୍ଚଳରେ କାର୍ଯ୍ୟ କରିବା ବନ୍ଦ କରି ଦେଇଥିବା ବେଳେ ବୃକ୍ଷରୋପଣ ଆଦି କାର୍ଯ୍ୟ କରୁଛନ୍ତି । ଯଦି ସରକାର ଆଗାମୀ ଜୁଲାଇ 10 ତାରିଖ ସୁଦ୍ଧା କର୍ମଚାରୀଙ୍କ ଦାବି ପୂରଣ ନ କରନ୍ତି ତେବେ କର୍ମଚାରୀମାନେ ସାମୁହିକ ଛୁଟିରେ ଯିବେ ବୋଲି କହିଛନ୍ତି । ସେହିପରି ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର