ସୁବର୍ଣ୍ଣପୁର: ଜାତୀୟ କ୍ରୀଡା ଦିବସ ଅବସରେ ଜିଲ୍ଲା ତରଫରୁ ଜାତୀୟ କ୍ରୀଡା ସପ୍ତାହ ପାଳନ କରାଯାଇଛି । ଏନେଇ ଅନ୍ତିମ ଦିନରେ ହକି ଲିଗ ମ୍ୟାଚର ଆୟୋଜନ କରାଯାଇଥିଲା । ସହରର ସୋନପୁର ମହାବିଦ୍ୟାଳୟ ପଡିଆଠାରେ ହକି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ଉଭୟ ପୁରୁଷ ଓ ମହିଳା ବର୍ଗ ଭାଗ ନେଇଥିଲେ ।
ଜାତୀୟ କ୍ରୀଡା ସପ୍ତାହର ଅନ୍ତିମ ଦିନରେ ସୋନପୁରରେ ହକି ମ୍ୟାଚ ( hockey match ) ଅନୁଷ୍ଠିତ ହୋଇଯାଇଛି । ଉଭୟ ପୁରୁଷ ଓ ମହିଳା ବର୍ଗରେ ବନ୍ଧୁତ୍ବପୂର୍ଣ୍ଣ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା । ଏହି ମ୍ୟାଚରେ ସୁନ୍ଦରଗଡ ଏବଂ ସୁବର୍ଣ୍ଣପୁର ଦୁଇଟି ଦଳ ଭାଗ ନେଇଥିଲେ । ଉଭୟ ହକି ଦଳ ପକ୍ଷରୁ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଅନୁଷ୍ଠିତ ଏହି ମ୍ୟାଚରେ ପୁରୁଷ ହକି ବର୍ଗରେ ସୁବର୍ଣ୍ଣପୁରକୁ ପରାସ୍ତ କରି ସୁନ୍ଦରଗଡ ମ୍ୟାଚ ଜିତିନେଇଛି । ସୁନ୍ଦରଗଡ ୨-୧ ଗୋଲରେ ସୁବର୍ଣ୍ଣପରୁରକୁ ପରାସ୍ତ କରିବାରେ ସଫଳ ହୋଇଛି । ସେହିପରି ମହିଳା ହକି ବର୍ଗରେ ମଧ୍ୟ ସୁନ୍ଦରଗଡ ମଧ୍ୟ ସୁବର୍ଣ୍ଣପୁରକୁ ପରାସ୍ତ କରି ବିଜୟ ହାସଲ କରିଛି । ସୁନ୍ଦରଗଡ ମହିଳା ହକି ଦଳ ନିର୍ଦ୍ଧାରିତ ସମୟ ସୁଦ୍ଧା ୩-୧ ଗୋଲରେ ସୁବର୍ଣ୍ଣପୁରରକୁ ପରାସ୍ତ କରିଥିଲେ ।
ଏହି ମ୍ୟାଚରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଓ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ଯୋଗଦେଇ ଉଭୟ ଖେଳାଳୀ ଓ କ୍ରୀଡା ପ୍ରେମୀଙ୍କୁ ଉତ୍ସାହିତ କରିଥିଲେ । ହକି ମ୍ୟାଚରେ ଯୋଗ ଦେଇ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ କହିଛନ୍ତି "ହକି ମ୍ୟାଚ ପ୍ରଥମ ଥର ପାଇଁ ସୋନପୁରରେ ଦେଖିବାକୁ ମିଳୁଛି । ସୋନପୁରରେ ଏଠି ଏକ ଅଞ୍ଚଳରେ ହକି ଟିମ ରହିଛି ଯେଉଁଠି ହକି ଖେଳାଯାଉଛି । ସେମାନେ ସୁନ୍ଦରଗଡ ସହିତ ଆଜି ମ୍ୟାଚ ଖେଳିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପର୍ଟକୁ ବର୍ତ୍ତମାନ ପ୍ରାଧାନ୍ୟ ଦେଉଛନ୍ତି । ସବୁ ସ୍ପର୍ଟସରେ ବିଭାଗରେ ଉଭୟ ପୁଅ ଝିଅ ଖେଳ ଅଭ୍ୟାସ କରି ଉପରକୁ ଯିବେ, ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଭଲ କରିବେ ତାହା ପାଇଁ ଯୋଜନା କରାଯାଉଛି ।" ସେହିପରି ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ କହିଛନ୍ତି, "ଜିଲ୍ଲା ତରଫରୁ 7 ଦିନ ପାଇଁ ଜାତୀୟ କ୍ରୀଡା ଦିବସ ପାଳନ ଯୋଜନା କରାଯାଇଥିଲା । ହକି ମ୍ୟାଚ ସୋନପୁରରେ ବହୁତ ଦିନ ଧରି ହୋଇନଥିଲା । ଶେଷ ଦିନରେ ହକି ମ୍ୟାଚ ସୁନ୍ଦରଗଡ ଏବଂ ସୁବର୍ଣ୍ଣପୁର ମଧ୍ୟରେ ଖେଳାଯାଉଛି । ଉତ୍ସାହର ସହିତ ମ୍ୟାଚ ଚାଲିଛି ମ୍ୟାଚ ଦେଖିବାକୁ ଭଲ ଲାଗୁଛି ।"
ଇଟିଭି ଭାରତ, ସୁବର୍ଣ୍ଣପୁର