ସୁବର୍ଣ୍ଣପୁର: ଆମର ଦରକାର ଚାଷୀ ସରକାର । ଏଭଳି ଏକ ସ୍ଲୋଗାନ ନେଇ ଗତ 23 ଏପ୍ରିଲ ଅକ୍ଷୟ ତୃତୀୟାରୁ ବାହାରିଥିବା କୃଷକ ସଂଗଠନର ଲୋକ ସଂପର୍କ ଅଭିଯାନ ଆଜି ସୁବର୍ଣ୍ଣପୁରରେ ପହଞ୍ଚିଛି । ରାଜ୍ୟ ବ୍ୟାପି କୃଷକ ସଚେତନତା କାର୍ଯ୍ୟକ୍ରମ କରାଯିବା ପରେ ଆଗାମୀ ମେ' 8 ତାରିଖରେ ଏହି କାର୍ଯ୍ୟକ୍ରମ ରାଜଧାନୀରେ ଶେଷ ହେବ ।
ତେବେ ଗତ 12ବର୍ଷ ହେଲା କୃଷି ଓ କୃଷକର ଉନ୍ନତି ପାଇଁ ନବ ନିର୍ମାଣ କୃଷକ ସଂଗଠନ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପାଖରେ ଲଢେଇ କରିଆସୁଛି । ଚାଷୀମାନଙ୍କ ପ୍ରାଇସ, ପ୍ରେଷ୍ଟିଜ ଓ ପେନ୍ସନ୍ ପାଇଁ ଏହି ସଂଗଠନ ଲଢେଇ କରୁଛି । କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି ବିଧାୟକ ଅବା ସାଂସଦ ଚାଷୀଙ୍କ ଦାବି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।
ନବ ନିର୍ମାଣ କୃଷକ ସଂଗଠନ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, "ବିଧାୟକ ଓ ସାଂସଦ ପଦରେ ଯଦି କୃଷକ ନରହିବେ ତାଙ୍କ କଥା କେହି ଶୁଣିବେନି । କୃଷକ ସରକାର ହେଲେ ହିଁ କୃଷକମାନଙ୍କ ଦୁଃଖ ଦୂର ହେବ । ଚାଷୀମାନଙ୍କ ପ୍ରତି ସମସ୍ତ ନିର୍ବାଚିତ ରାଜନୈତିକ ବ୍ୟକ୍ତି, ସରକାରୀ କର୍ମଚାରୀ ଓ ପ୍ରତ୍ୟେକ ବ୍ୟକ୍ତି ବିଶେଷ ସମ୍ବେଦନଶୀଳ ହୋଇ ନ୍ୟାୟ ପ୍ରଦାନ କରିବେ । ଚାଷୀଙ୍କ ସ୍ବାର୍ଥ ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ନୀତି ନିର୍ଦ୍ଧାରଣ କରିବା ପାଇଁ ଅନୁରୋଧ କରାଯାଇଛି ।"
ସେହିପରି ଚାଷୀର ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ନିର୍ଦ୍ଧାରଣ କରିବା ଓ ସରକାରୀ ଭାବେ ଖରିଦ ବିକ୍ରି କରିବା ପାଇଁ ଦାବି କରିଛନ୍ତି । ସରକାର ଚାଷୀର ଉତ୍ପାଦିତ ଦ୍ରବ୍ୟର ପ୍ରକୃତ ମୂଲ୍ୟ ନିର୍ଦ୍ଧାରଣ କରୁ ନାହାନ୍ତି । ସେହିପରି କୃଷି ଉତ୍ପାଦିତ ଦ୍ରବ୍ୟର ନିର୍ଦ୍ଧାରିତ ମୂଲ୍ୟ ଚାଷୀକୁ ପ୍ରଦାନ କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସମ୍ବେଦନଶୀଳ ନଥିବା ଅଭିଯୋଗ କରିଛନ୍ତି ।
ପ୍ରତ୍ୟେକ ଜିଲ୍ଲାରେ 50 ପ୍ରତିଶତରୁ ଅଧିକ ଜମିକୁ ଜଳସେଚନ ଯୋଗାଇ ଦେବା । ଜଳ ଉତ୍ସଗୁଡିକରୁ ଉଠା ଜଳସେଚନ ମାଧ୍ୟମରେ ପାଣି ଯୋଗାଇ ଦେବା , ଠିକ ସମୟରେ ଚାଷୀକୁ ବିହନ, ରାସାୟନିକ ସାର ଓ କୀଟନାଶକ ଔଷଧ ଯୋଗାଇ ଦେବା, ଭେଜାଲ କୀଟନାଶକ ଔଷଧ ବିକ୍ରି ଉପରେ ଅଂକୁଶ ଲଗାଇବା, କ୍ରୟ କେନ୍ଦ୍ରଗୁଡିକର ଭିତ୍ତିଭୂମୀର ବିକାଶ କରିବା ସହିତ ଚାଷୀ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ସୃଷ୍ଟି କରିବା ଆଦି ଦାବି କରିଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର