ସୁବର୍ଣ୍ଣପୁର: ତାମିଲନାଡୁରୁ ଉଦ୍ଧାର ହେଲେ ସୁବର୍ଣ୍ଣପୁର ବାଉଁଶୁଣି ଗାଁର ଦାଦନ ଶ୍ରମିକ। ଗାଁର ଅଜିତ ପାଣ୍ଡେ ଓ ତାଙ୍କ ସ୍ତ୍ରୀ ତାମିଲନାଡୁରେ ରହୁଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ଦେହ ଅସୁସ୍ଥ ହେବାରୁ ଉଦ୍ଧାର ପାଇଁ ଏକ ଭିଡିଓ କରି ଗୁହାରି କରାଯାଇଥିଲା । ଏହା ପରେ ଜିଲ୍ଲା ଶ୍ରମ ବିଭାଗର ପ୍ରଚେଷ୍ଟାରେ ଅଜିତ ତାଙ୍କ ପରିବାର ସହିତ ଘରକୁ ଫେରିଛନ୍ତି ।
ଦାଦାନ ଖଟିବାକୁ ଅଜିତ ନିଜ ପରିବାର ସହିତ ତାମିଲନାଡୁକୁ ଯାଇଥିଲେ । ହେଲେ ସେଠାରେ ତାଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ବେଶ ଖରାପ ହୋଇ ପଡିଥିଲା । ତେବେ ପୂର୍ବରୁ ଦଲାଲ ମାଧ୍ୟମରେ ସେ ମାଲିକ ପାଖରୁ ଅଗ୍ରିମ ଟଙ୍କା ଆଣିଥିବାରୁ ସେଠାରେ ନିଜ ପତ୍ନୀଙ୍କୁ ଧରି ରହିବାକୁ ବାଧ୍ୟ ହୋଇଥିଲେ । ଏପରିକି ତାଙ୍କ ପତ୍ନୀଙ୍କ ଚିକିତ୍ସା ପାଇଁ ମାଲିକ ଟଙ୍କା ନଦେବା ସହିତ ମଜୁରୀ ଦେଉ ନଥିବା କଥା ଅଜିତ ଭିଡିଓ ବାର୍ତ୍ତାରେ ଅଭିଯୋଗ କରିଥିଲେ ।
ତେବେ ଗାଁର ଯୁବକମାନଙ୍କ ହାତରେ ଭିଡିଓ ମେସେଜଟି ପଡିବା ପରେ 5ଟି ସଚିବ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାାଇଥିଲା । ଶେଷରେ ତାଙ୍କ ଭିଡିଓ ମେସେଜ ଆଧାରରେ ପ୍ରଶାସନ ଓ ଶ୍ରମବିଭାଗ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଗାଁକୁ ଫେରେଇ ଆଣିଛି । ଶ୍ରମବିଭାଗର ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ