ସୁବର୍ଣ୍ଣପୁର: ଜିଲ୍ଲାର ଖଲିଆପାଲିଠାରେ ଥିବା ସନ୍ଥ କବି ଭୀମଭୋଇଙ୍କ ସମାଧି ପୀଠରେ ଆରମ୍ଭ ହୋଇଛି ମାଘମେଳା ଉତ୍ସବ । ସନ୍ଥଙ୍କ ପାଦୁକା ଦର୍ଶନ ତଥା ସମାଧି ଦର୍ଶନ କରିବା ସହିତ ଶୂନ୍ୟବ୍ରହ୍ମଙ୍କ ଆଶିଷ ଲାଭ କରିବାକୁ ବିଭିନ୍ନ ସ୍ଥାନରୁ ମହିମାଧର୍ମୀ ସାଧୁ ସନ୍ୟାସୀ ସନ୍ଥ ପୀଠରେ ଆସି ପହଞ୍ଚିଛନ୍ତି ।
ସମାଧି ପୀଠ ଟ୍ରଷ୍ଟ ପକ୍ଷରୁ ଭୀମଭୋଇ ସାହିତ୍ୟ ସମାରୋହର ଆୟୋଜନ କରାଯାଇଥିବାବେଳେ ଭୀମଭୋଇ ସାହିତ୍ୟ ଓ ପୀଠ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ଭୀମଭୋଇ ସମ୍ମାନରେ ସମ୍ମାନୀତ କରିବା ପାଇଁ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଛି ।
ଶୁକ୍ରବାର ସକାଳୁ ସାଧୁ ସନ୍ଥ, ଭୀମଭୋଇ ପ୍ରେମୀ, ସାହିତ୍ୟପ୍ରେମୀମାନେ ସନ୍ଥ ପୀଠରେ ପହଞ୍ଚି ଶୂନ୍ୟ ମନ୍ଦିର ଦର୍ଶନ କରିଛନ୍ତି । ମାଘ ଶୁକ୍ଳ ଚତୁର୍ଦଶୀ ଓ ପୂର୍ଣ୍ଣମୀ ତିଥିରେ ସନ୍ଥ କବିଙ୍କ ଶୂନ୍ୟ ମନ୍ଦିର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହୋଇଛି ସନ୍ଥପୀଠରେ ।
ଶନିବାର ଏହି ପୀଠରେ ସାରସ୍ବତ ସାହିତ୍ୟ ସମାରୋହ ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ଜିଲ୍ଲାପାଳ ମନୀଷା ବାନାର୍ଜି, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଶାସକ ବିଷ୍ଣୁ ପ୍ରସାଦ ସେଠୀ, ପ୍ରଫେସର ସନ୍ତୋଷ କୁମାର ରଥ ପ୍ରମୁଖ ଏହି ସାରସ୍ବତ ସମାରୋହରେ ଯୋଗଦେବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ