ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହରାଜପୁର ତହସିଲ କାର୍ଯ୍ୟାଳୟ ସବୁବେଳେ ଚର୍ଚ୍ଚାରେ ରହୁଛି । କେତେବେଳେ ଜମି ଦୁର୍ନୀତି ତ ଆଉ କେତେବେଳେ ପଲିଥିନ ଦୁର୍ନୀତିରେ ଉଟୁବୁଟୁ ହେଉଛି ଏହି କାର୍ଯ୍ୟାଳୟ । ବାସହରା ଗରିବଙ୍କ ପାଇଁ ଆସିଥିବା ପଲିଥିନ ତହସିଲ କାର୍ଯ୍ୟାଳୟରୁ ଗାଏବ ହୋଇଯାଉଛି । ଅଥଚ କୌଣସି ପତ୍ତା ପାଉନାହାଁନ୍ତି ଅଧିକାରୀ । ସିଧାସଳଖ କହିଲେ ପଲିଥିନ ଖାଇ ଯାଇଛନ୍ତି ତହସିଲ କର୍ମଚାରୀ । କେବଳ ଥାନାରେ ଏତଲା ଦେଇ ନିଜ ଦାୟିତ୍ୱ ସାରିଦେଇଛନ୍ତି ତହସିଲଦାର । ପୋଲିସ ତଦନ୍ତ କେବେ ସାରିବ ନିଜେ ବି ଜାଣି ନାହିଁ । ଏପରି ସ୍ଥଳେ କେଳେଙ୍କାରୀରେ ସଂପୃକ୍ତ ବଡବାବୁ, ସାନ ବାବୁ ସମସ୍ତେ ବିନ୍ଦାସ । ଆଉ ହନ୍ତସନ୍ତ ହେଉଛନ୍ତି ପ୍ରକୃତ ପଲିଥିନର ମାଲିକ ଜନସାଧାରଣ ।
ସୂଚନା ଅନୁସାରେ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ସରକାରଙ୍କ ତରଫରୁ ପଲିଥିନ ଯୋଗାଇ ଦିଆଯାଇଥାଏ । ଏହା ସ୍ଥାନୀୟ ପ୍ରଶାସନ ଦ୍ବାରା ହିତାଧିକାରୀଙ୍କୁ ବଣ୍ଟନ କରିବାର ବ୍ୟବସ୍ଥା ରହିଛି । ହେଲେ ସରକାରୀ ବାବୁମାନେ ଗରିବଙ୍କୁ ସହଯୋଗ କରିବା ବଦଳରେ ସରକାରୀ ପଲିଥିନ ବାଟମାରଣା କରି ନେଉଛନ୍ତି। ନିକଟରେ ତହସିଲଦାର ଷ୍ଟକ ଯାଞ୍ଚ କରିବା ବେଳେ 185 ବଣ୍ଡଲ ପଲିଥିନ ଗାଏବ ଥିବା ଯାଞ୍ଚରୁ ଜଣାପଡିଥିଲା । ଯାହାର ମୁଲ୍ୟ ଲକ୍ଷଲକ୍ଷ ଟଙ୍କା । ପଲିଥିନ ଷ୍ଟକ ରେଜିଷ୍ଟର ଯାଞ୍ଚ କରିବା ସହିତ ଏହି ଦୁର୍ନୀତିରେ ନିଜ କାର୍ଯ୍ୟାଳୟର କର୍ମଚାରୀମାନେ ସଂପୃକ୍ତ ଥିବା ଜାଣିବାକୁ ପାଇଛନ୍ତି । ସେପଟେ ହିତାଧିକାରୀଙ୍କୁ ପଲିଥିନ ଖଣ୍ଡିଏ ଯୋଗାଇ ଦେବାରେ ବିଫଳ ହୋଇଛନ୍ତି ରାଜସ୍ବ ଅଧିକାରୀମାନେ ।
ପଲିଥିନ ଦାୟିତ୍ଵରେ ତହସିଲ କାର୍ଯ୍ୟାଳୟର ଦୁଇଜଣ କର୍ମଚାରୀ ଅଛନ୍ତି। ଷ୍ଟୋର କିପର ଓ ପଲିଥିନ ଇନଚାର୍ଜ ପ୍ରତିଟି ରାଜସ୍ବ ନିରୀକ୍ଷକଙ୍କ ଆବଶ୍ୟକତା ମୁତାବକ ପଲିଥିନ ଯୋଗାଇ ଦେଇଥାନ୍ତି। ହେଲେ କେଉଁ ପରିସ୍ଥିତିରେ ଓ କିଏ ଏହି ପଲିଥିନ ଗାଏବ କରିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ତହସିଲଦାର କେଉଁ କାରଣରୁ ଉଭୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ତଦନ୍ତଭାର ପୋଲିସକୁ ଦେଇ ଚୁପ ବସିଛନ୍ତି ତାହା ବି ସନ୍ଦେହ ଘେରରେ । ଲକ୍ଷ ଲକ୍ଷ ଟଙ୍କାର ପଲିଥିନ ସରକାରୀ ବାବୁମାନେ ଖାଇ ଯାଇଥିବା ବେଳେ ଜିଲ୍ଲାର ଦୁଇ ମୁରବି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିଥିବା କହିଛନ୍ତି।
ସରକାରୀ କାର୍ଯ୍ୟାଳୟର ଷ୍ଟକ ରୁମରୁ ଲକ୍ଷ ଲକ୍ଷ ଟଙ୍କାର ପଲିଥିନ ଉଭାନ ହୋଇ ଯାଉଛି। ହେଲେ ଗରୀବ ଖଟିଖିଆ ମାନଙ୍କୁ ପଲିଥିନଟିଏ ବି ଯୋଗାଇ ଦେଇ ପାରୁନାହିଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଲରେ ତେଜୁଛି ଜନ ଅସନ୍ତୋଷ । ତୁରନ୍ତ ଏହି ଦୁର୍ନୀତିରେ ସଂପୃକ୍ତ ଅଧିକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ