ସୁବର୍ଣ୍ଣପୁର: ସ୍ଥାୟୀ ଜମି ପଟ୍ଟା ଦାବି ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପୌର ପରିଷଦର ୧୪ ନମ୍ବର ୱାର୍ଡବାସୀ । ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ବ ଦିନ ହେବ ଏହି ବସ୍ତିବାସିନ୍ଦାମାନେ ଭଗବତୀ ପ୍ଲଟରେ ଅନାବାଦୀ ଜାଗାରେ ବାସ କରି ଆସୁଥିଲେ ହେଁ ଏମାନଙ୍କୁ ସରକାର କୌଣସି ପ୍ରକାର ସହାୟତା ପ୍ରଦାନ କରୁନଥିବା ଅଭିଯୋଗ ହୋଇଛି ।
ଓଡିଶା ଭୂଅଧିକାର ଆଇନ-୨୦୧୭ ଅନୁଯାୟୀ ଗରିବ ଓ ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କୁ ସରକାର ଡିହ ଓ ଘର ଯୋଗାଇଦେବା କଥା । କିନ୍ତୁ ସ୍ଥାନୀୟ ପୌର ପ୍ରଶାସନର ଅବହେଳାରୁ ଏସବୁ ସୁବିଧାରୁ ବଞ୍ଚିତ ବୋଲି ପରିଷଦର ୧୪ ନମ୍ବର ୱାର୍ଡବାସୀ ଅଭିଯୋଗ କରିଛନ୍ତି । ଉଷା ସର୍ଭେ ଦ୍ବାରା ସମସ୍ତ ଘରକୁ ନମ୍ବର କରିବା ସହ ଅନ୍ୟ ୱାର୍ଡମାନଙ୍କରେ ସମସ୍ତ ଅଧିବାସୀ ପଟ୍ଟା ପାଇସାରିଥିବାବେଳେ 14 ନମ୍ବର ୱାର୍ଡବାସୀଙ୍କୁ କାହିଁକି ସେମାନଙ୍କ ଅଧିକାର ଦିଆଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ବସ୍ତି ବାସିନ୍ଦା ।
ଏନେଇ ବାରମ୍ବାର ପୌର କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇଥିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଏହାର ସମାଧାନ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ବସ୍ତି ବାସିନ୍ଦା । ପୌର ପରିଷଦର ଅବହେଳା ଯୋଗୁଁ ବସ୍ତି ଲୋକେ ପଟ୍ଟା ପାଇବାରୁ ବଞ୍ଚିତ ହୋଇଥିବା ବେଳେ ତୁରନ୍ତ ଦାବି ପୂରଣ ପାଇଁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ