ସୁବର୍ଣ୍ଣପୁର: ତନ୍ତ୍ର, ମନ୍ତ୍ର, ଯନ୍ତ୍ର ହିନ୍ଦୁ ସମାଜରେ ପ୍ରଚଳିତ ଉପାସନା ପଦ୍ଧତିର ଏକ ଅଂଶ ବିଶେଷ । ତାନ୍ତ୍ରିକ ଉପାସନାର କ୍ଷେତ୍ର ଭାବେ ସୁବର୍ଣ୍ଣପୁରର ଅଷ୍ଟଚଣ୍ଡୀ ପୀଠ ବେଶ୍ ଖ୍ୟାତ । ଭୁବନେଶ୍ବର ପରେ ଦ୍ବିତୀୟ ମନ୍ଦିର ମାଳିନୀ ସହର କୁହାଯାଉଥିବା ସୁବର୍ଣ୍ଣପୁର, ଶାକ୍ତ ପରମ୍ପରାର ଏକ ଐତିହାସିକ ନିଦର୍ଶନ । ଏହି ଭୂଖଣ୍ଡ ଅଷ୍ଟୋତ୍ତର ଶହେ ଆଠ ଦେବାଦେବୀଙ୍କ ବାସସ୍ଥାନ ଭାବେ ବିଖ୍ୟାତ । ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଏବଂ ଦଶହରା ବଳିପର୍ବ ସମୟରେ ଅଗ୍ରରେ ପୂଜା ପାଆନ୍ତି ମା' ଅଷ୍ଟଚଣ୍ଡୀ ।
ସୁବର୍ଣ୍ଣପୁର ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ବେରୀ । ଚୌହାନ ଶାସନ କାଳରେ ଅଷ୍ଟଚଣ୍ଡୀ ବେଶ ପୃଷ୍ଠପୋଷକତା ଲାଭ କରିଥିଲା ବୋଲି କିମ୍ବଦନ୍ତୀ କହେ । ଉତ୍ତର ମୁହାଁ ଭାବେ ପୂଜିତା ଏହି ଦେବୀ ସମଗ୍ର ଗଡଜାତର ପରୁହାଁ ଦେବୀ ଭାବେ ପରିଚିତା । ଦେବୀ ମା ସୁରେଶ୍ବରୀଙ୍କୁ ବାଦ ଦେଲେ ଭଗବତୀ, ଖମ୍ବେଶ୍ବରୀ, ସମଲେଇ, ନାରାୟଣୀ, ଦଶମତୀ ଆଦି ଅଷ୍ଟଚଣ୍ଡୀଙ୍କ ତାନ୍ତ୍ରୀକ ପୂଜା ଆରାଧନା ପ୍ରାୟ ସପ୍ତମ ଶତାଦ୍ଦୀରୁ ଚାଲି ଆସୁଥିବା ଗବେଷକଙ୍କ ମତ ।
ସମସ୍ତ ପୂଣ୍ୟତିଥିର ଅଗ୍ରପୂଜ୍ୟା ମା’ ସୁରେଶ୍ବରୀ । ମାଙ୍କ ନିକଟରେ ନବାନ୍ନ ଲଗ୍ନ ନିର୍ଣ୍ଣୟ ହୋଇ ଆସୁ ଥିବାବେଳେ ଐତିହାସିକ ବଳିଯାତ୍ରାରେ ବଳିର ଚୁଳ ବନ୍ଧନ ପର୍ବ ବି ଏହି ପୀଠରେ ସମ୍ପନ୍ନ ହୁଏ । ମା ସମଗ୍ର ଭୂଖଣ୍ଡର ସୁରକ୍ଷା ପ୍ରଦାନକାରୀ ବୋଲି ଭକ୍ତଙ୍କ ବିଶ୍ବାସ । ଦେଶର ପାଞ୍ଚଟି ତନ୍ତ୍ରପୀଠ ମଧ୍ୟରେ ଉଡ୍ଡିୟାନ ତନ୍ତ୍ର ପୀଠ ଭାବେ ପ୍ରସିଦ୍ଧି ଲାଭ କରିଛି ଏହି ସହର । ପ୍ରାୟ ସପ୍ତମ ଶତାଦ୍ଦୀ ପୂର୍ବରୁ ଏଠାରେ ତନ୍ତ୍ର ସାଧାନା କରାଯାଇ ଆସୁଥିବା ଅନେକ ଲୋକକଥା ଓ ଐତିହାସିକ ତଥ୍ୟ ରହିଛି । ତନ୍ତ୍ର ପଦ୍ଧତିରେ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗରେ ଦେବୀଙ୍କ ଆରାଧନା କରାଯାଏ ଏହି ପୀଠରେ ।
ଐତିହାସିକ ବଳିଯାତ୍ରାରେ ଅନେକ ରହସ୍ୟମୟ ଯନ୍ତ୍ର ଓ ତନ୍ତ୍ରର ପ୍ରୟୋଗ କରାଯାଇଥାଏ, ଯାହା ଅନ୍ୟତ୍ର ଦେବୀ ସାଧନାରେ ଦେଖିବାକୁ ମିଳେନାହିଁ । 36 ଟି ସମ୍ପ୍ରଦାୟର ସେବାୟତ ଦେବୀଙ୍କ ସେବା ପୂଜା ଓ ଯାନି ଯାତ୍ରାରେ ସାମିଲ ହୋଇ ଆସୁଛନ୍ତି । ତେବେ ତାନ୍ତ୍ରୀକା ଦେବୀ ଭାବେ ପ୍ରସିଦ୍ଧ ଅଷ୍ଟଚଣ୍ଡୀଙ୍କ ଉପରେ ଭାରତବର୍ଷର ଅନେକ ତନ୍ତ୍ର ସାଧକ ଓ ଶ୍ରଦ୍ଧାଳୁଙ୍କ ବିଶ୍ବାସ ରହିଛି । ତାନ୍ତ୍ରୀକ ପଦ୍ଧତିରେ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗରେ ଶାକ୍ତ ଆରାଧନା ପାଇଁ ଆଜି ବି ଏହି ସହର ତନ୍ତ୍ରପୀଠର ପ୍ରୟୋଗଶାଳା ଭାବେ ପ୍ରସିଦ୍ଧି ଲାଭ କରିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ