ସୁବର୍ଣ୍ଣପୁର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସୁବର୍ଣ୍ଣପୁର ଜିଲ୍ଲା ବିଶିମୁଣ୍ଡା ଗାଁରେ । ଗାଁର ଜଣେ ଯୁବକ କିଡନୀ ରୋଗୀରେ ଆକ୍ରାନ୍ତ ହୋଇଛନ୍ତି । ନିଜ ଚିକତ୍ସା ପାଇଁ ସବୁ ପଇସା ଖର୍ଚ୍ଚ କରିବା ପରେ ସେ ସର୍ବାହରା ହୋଇଛନ୍ତି ଏବେ କେବଳ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ।
ସୁବର୍ଣ୍ଣପୁର ଜିଲ୍ଲା ବିଶିମୁଣ୍ଡା ଗାଁର 35 ବର୍ଷୀୟ ମହେଶ ମହାନନ୍ଦ ବର୍ଷକ ପୂର୍ବରୁ ସବୁକିଛି ଠିକ ଥିଲା। ଛୁଆ ପିଲାଙ୍କ ମେଳରେ ପତି ପତ୍ନୀ ଦୁହେଁ ବେଶ ହସ ଖୁସିରେ ଥିଲେ। ବେଶ ରୋଜଗାର ବି ଥିଲା। ଦୁଇ ଝିଅଙ୍କ ଗହଣରେ ମହେଶ ଓ ଗୀତାଞ୍ଜଳିଙ୍କ ସମୟ ଖୁସିରେ ଗଡି ଯାଉଥିଲା। ହେଲେ ହଠାତ ମହେଶ ଅସୁସ୍ଥ ହୋଇ ପଡିଲେ।ହାତ ଗୋଡ଼ ସବୁ ଫୁଲିଗଲା।ଶଯ୍ୟାଶାୟୀ ହୋଇ ପଡିଲେ । ରୋଜଗାର ବି ବନ୍ଦ ହୋଇଗଲା।ଡାକ୍ତର ଦେଖାଇଲେ। ଜାଣିପାରିଲେ ସେ ଅଳ୍ପ ବୟସରୁ କିଡନୀ ରୋଗରେ ଆକ୍ରାନ୍ତ। ଦିନକୁ ଦିନ ତାଙ୍କ କିଡିନି ଖରାପ ହେବାରେ ଲାଗିଛି। ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରୁ ଆରମ୍ଭ କରି ବୁର୍ଲା ଓ ପରେ କଟକ ଯାଇ ଚିକିତ୍ସିତ ହେଲେଣି। ଘରେ ଯାହା ଥିଲା ବିକି ଔଷଧ ଖାଇଲେ।ଏବେ ଆଉ ସେ କାମ କରି ପାରୁ ନାହାନ୍ତି।ରୋଜଗାର ବି ବନ୍ଦ ହେଲା।ଅତି ଅଳ୍ପ ବୟସରେ ଧୀରେ ଧୀରେ ଲିଭି ଯିବାକୁ ବସିଛି ତାଙ୍କର ଜୀବନ ଦୀପ। ଏବେ କେବଳ କିଛି କରିସ୍ମା ହିଁ ତାଙ୍କୁ ଭଲ କରିପାରେ। ତେବେ ରାଜ୍ୟ ସରକାରଙ୍କ ସବୁ ସ୍ବାସ୍ଥ୍ୟ ଯୋଜନା ତାଙ୍କ ପାଇଁ ଯେପରି ମୂଲ୍ୟହୀନ ହୋଇପଡିଛି।
ଘରେ ଚାରି ପ୍ରାଣୀ କୁଟୁମ୍ବ ପରିପୋଷଣ ସାଙ୍ଗକୁ ନିଜର ଚିକିତ୍ସା ପାଇଁ ଆଉ ବାଟ ପାଉ ନାହାଁନ୍ତି ମହେଶ। କେବେ ପାଇଲେ ତ ଖାଇଲେ। ନ ହେଲେ ସାରା ପରିବାର ଭୋକ ଓପାସରେ।ଏବେ କିଡନି ରୋଗର ନିରାକରଣ ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ। ଅର୍ଥ ଅଭାବରୁ ଦୈନିକ ଔଷଧ ବି ଖାଇ ପାରୁ ନାହାନ୍ତି।ଏବେ କେବଳ ସରକାରୀ ସହାୟତାକୁ ଅପେକ୍ଷା ବୋଲି ମହେଶ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ