ସୁବର୍ଣ୍ଣପୁର: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ଅଭିଯୋଗ ହେଉଛି । ସୁବର୍ଣ୍ଣପୁର ଜିଲ୍ଲାରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । କେନ୍ଦ୍ର ସରକାର ବାର୍ଷିକ ଦେଉଥିବା ଅନୁଦାନ ସବୁ ଖର୍ଚ୍ଚ ହୋଇ ପାରୁନାହିଁ । ଫଳରେ 2021 ମସିହାରେ ସଂପୂର୍ଣ୍ଣ ହେବାକୁ ଥିବା ରେଳ ପ୍ରକଳ୍ପ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ହୋଇଛି । ତେବେ ରେଳ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରି ଆଗାମୀ ମାର୍ଚ୍ଚ 2024 ଶେଷ ସୁଦ୍ଧା ଏହି ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ଦାବି ହେଉଛି ।
ବଲାଙ୍ଗୀର ପଟରୁ ସୁବର୍ଣ୍ଣପୁର ଆଡକୁ ପ୍ରାୟ 19 କିଲୋମିଟର ରେଳ ଲାଇନ କାର୍ଯ୍ୟ ଶେଷ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ସଦର ସୋନପୁର ବ୍ଲକ ଅଞ୍ଚଳର ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଥିବା ବେଳେ କିଛି ଯାଗାରେ ଅଧିଗ୍ରହଣ କାର୍ଯ୍ୟ ବିବାଦ ଘେରରେ ରହିଛି । ତେବେ ରେଳ ଲାଇନ ପୋଲ ତଥା ମାଟି ପକା କାର୍ଯ୍ୟ ଆଗେଇ ଚାଲିଥିବା ବେଳେ କାର୍ଯ୍ୟ ବେଶ ମନ୍ଥର ଗତିରେ ଚାଲିଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି ।
ରେଳ ଲାଇନ କାର୍ଯ୍ୟ କରିବା ପାଇଁ ନିୟୋଜିତ ହୋଇଥିବା ଠିକାଦାର ତ୍ବରିତ କାର୍ଯ୍ୟ କରୁ ପାରୁନାହାନ୍ତି । ଚଳିତ ଆର୍ଥିକ ବର୍ଷରେ 1050 କୋଟି ଟଙ୍କା ଏହି ପ୍ରକଳ୍ପକୁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଥିବା ବେଳେ ଏହି ଅନୁଦାନ ରାଶି ଖର୍ଚ୍ଚ କରାଯିବାକୁ ନେଇ ଆଶଙ୍କା ଦେଖା ଦେଇଛି । ତେବେ ପଶ୍ଚିମାଞ୍ଚଳର ଏକ ଗୁରୁତ୍ବପୂର୍ଣ୍ଣ ରେଳ ପ୍ରକଳ୍ପ ଶିଘ୍ର ସମ୍ପୂର୍ଣ୍ଣ ହେବାକୁ ନେଇ ସନ୍ଦେହ ଦେଖାଦେଇଛି ।
ଏହି ରେଳ ଲାଇନ ସଂପୂର୍ଣ୍ଣ ହେଲେ ପଶ୍ଚିମାଞ୍ଚଳର ବଲାଙ୍ଗୀର,ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଅର୍ଥନୈତିକ ବିକାଶ ହେବା ସହିତ ଗମନାଗମନରେ ସୁଧାର ଆସିପାରିବ । ତେବେ 1980 ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଚାରି ଦଶନ୍ଧି ପରେ ବି ସଂପୂର୍ଣ୍ଣ ହୋଇ ନଥିବାରୁ ଜିଲ୍ଲାବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ