ସୁବର୍ଣ୍ଣପୁର: ତତଲା କଡେଇରେ ପରିଣତ ହୋଇଛି ସୁବର୍ଣ୍ଣପୁର । ଜିଲ୍ଲାରେ ଦୀର୍ଘ ଏକ ସପ୍ତାହ ଧରି ଗ୍ରୀଷ୍ମପ୍ରବାହ ଜାରି ରହିଛି । ପ୍ରଚଣ୍ଡ ଖରାର ଏହି ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦିନରେ ତାପମାତ୍ରା 43 ଡିଗ୍ରୀକୁ ପହଞ୍ଚିଥିବା ବେଳେ ରାତିରେ 37 ଡିଗ୍ରୀ ତଳକୁ ପାରଦ ଖସିବାର ନା ନେଉନାହିଁ ।


ସେପଟେ ଅତ୍ୟାବଶ୍ୟକ କାମରେ ଲୋକେ ଘରୁ ବାହାରୁଥିବା ବେଳେ ଥଣ୍ଡା ପାନୀୟ ଜଳ ଉପରେ ନିର୍ଭର କରୁଛନ୍ତି । ଖରାରୁ ରକ୍ଷା ପାଇବାକୁ ଛାଇ ଖୋଜୁଛନ୍ତି । ତେବେ ଏଯାଏଁ ସହରରେ ଜଳଛତ୍ର ଖୋଲି ନଥିବାରୁ ଯାତ୍ରୀମାନେ ଥଣ୍ଡା ପାନୀୟ ଜଳ ଟିକିଏ ପାଇବାରୁ ବଞ୍ଚିତ ହେଉଛନ୍ତି । ଦିନରେ 10ଟା ପରେ ସହରରେ ଏକ ପ୍ରକାରର କର୍ଫ୍ୟୁ ପରିବେଶ ଦେଖାଯାଉଥିବା ବେଳେ ସନ୍ଧ୍ୟା 6ଟା ପରେ ଲୋକେ ଘରୁ ବାହାରକୁ ବାହାରୁଛନ୍ତି । ଏହି ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ଅଂଶୁଘାତ ପାଇଁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ