ସୁବର୍ଣ୍ଣପୁର: ବିଗତ ତିନି ଦିନ ଧରି ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଫଳରେ ନଦୀ ନାଳ ବଢିବା ସହ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଅବସ୍ଥା । ଫଳରେ ତରଭା ବ୍ଲକ ଏକପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡିଛି । ତେବେ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ପାଖରୁ ପରଖି ଦେଖିଛନ୍ତି ସୋନପୁର ବିଧାୟକ ଓ ଜିଲ୍ଲାପାଳ ।
ସୂଚନା ଅନୁଯାୟୀ ଜିଲ୍ଲାରେ ତିନି ଦିନର ଲଗାଣ ବର୍ଷା ଯୋଗୁଁ ତେଲନଦୀ ଓ ନିବୃତ୍ତି ନଦୀରେ ବଢି ପାଣି ଆସିଛି । ଅନ୍ୟପଟେ ନିବୃତ୍ତି ଓ ସୁକତେଲ ନଦୀର ପାଣି ଯୋଗୁଁ ସୁବର୍ଣ୍ଣପୁର-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ଘାଟ କଇଁତରା ପାଖରେ ପ୍ରାୟ 5 ଫୁଟ ଉଚ୍ଚର ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି ।
ସେହିପରି ଖାରୀରୁ ମେଣ୍ଡା ରାସ୍ତାରେ ବି ପ୍ରାୟ 3 ଫୁଟ ଉଚ୍ଚର ପାଣି ଚାଲୁଥିବା ଦେଖିବାକୁ ମିଳିଛି । ଫଳରେ ମେଣ୍ଡା ଅଞ୍ଚଳ ବି ତରଭା ସହରଠାରୁ ବିଚ୍ଛିନ୍ନ ହୋଇଯାଇଛି । ମଙ୍ଗଳବାର ସୋନପୁର ବିଧାୟକ ତଥା ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଜିଲ୍ଲାପାଳ ମନୀଷା ବାନାର୍ଜୀ ଏନେଇ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ।
ନଦୀ ନାଳଗୁଡିକରେ ବଢି ପାଣି ଆସିବାରୁ ତରଭା ବ୍ଲକ ଏକପ୍ରକାର ଯୋଗାଯୋଚଗରୁ ବିଚ୍ଛିନ୍ନ ହୋଇ ଯାଇଛି । ତେଣେ ପରିସ୍ଥିତି ଦେଖି ବଲାଙ୍ଗୀରରୁ ଭୁବନେଶ୍ବରକୁ ଯାଉଥିବା ନାଇଟ ଏକ୍ସପ୍ରେସ ବସ୍ଗୁଡିକର ଚଳାଚଳକୁ ବନ୍ଦ କରାଯାଇଛି । ଫଳରେ ୟାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ତେବେ ଜିଲ୍ଲାପାଳ ଏନେଇ ସମସ୍ତ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ବନ୍ୟା ପୀଡିତଙ୍କୁ ଆବଶ୍ୟକ ରିଲିଫ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରାଜସ୍ବ ବିଭାଗରୁ ଘର ଭାଙ୍ଗିଥିବା ପରିବାରମାନଙ୍କୁ ତୁରନ୍ତ ପଲିଥିନ ଓ ଶୁଖିଲା ଖାଦ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ତିନି ଦିନର ଲଗାଣ ବର୍ଷାରେ ଜିଲ୍ଲାର ଅବସ୍ଥା ବେହାଲ ହୋଇ ପଡିଥିବା ବେଳେ ଆଗକୁ ଆହୁରି 48 ଘଣ୍ଟା ବର୍ଷା ହେବାର ସମ୍ଭାବନା ଥିବାରୁ ପ୍ରଶାସନ ବେଶ ସତର୍କ ରହିଥିବା ସୂଚନା ମିଳିଛି । ଅନ୍ୟପଟେ ବନ୍ୟା ପୀଡିତଙ୍କୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ପଞ୍ଚାୟତ ଓ ରାଜସ୍ବ ବିଭାଗକୁ ଜିଲ୍ଲାପାଳ କଡାକଡି ନିର୍ଦ୍ଦେଶ ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ