ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏନଏଚଏମ ଆକାଉଣ୍ଟରୁ ୫ କୋଟିରୁ ଅଧିକ ଟଙ୍କା ଗାୟବ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଜାଣତରେ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ସରକାରୀ ଆକାଉଣ୍ଟରୁ ଗାୟବ ହୋଇଥିବା ବେଳେ ଏନେଇ ଜିଲ୍ଲା ସିଡିଏମପିଏଚଓ କ୍ରାଇମ ବ୍ରାଞ୍ଚ କଟକ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି ।
ଗତକାଲି ଏନଏଚଏମ ବିଭାଗର ଆକାଉଣ୍ଟାଣ୍ଟ ବ୍ୟାଙ୍କକୁ ଯାଇ ମାସିକିଆ ଆକାଉଣ୍ଟ ଷ୍ଟେଟମେଣ୍ଟ ମାଗିଥିବା ବେଳେ ୫ କୋଟିରୁ ଉର୍ଦ୍ଧ ଟଙ୍କା ନଥିବା ଜଣା ପଡିଥିଲା । କୌଣସି ଏକ ଆକାଉଣ୍ଟକୁ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣା ପଡିଛି । ତେବେ କିଏ ଓ କେଉଁ ପରିସ୍ଥିତିରେ ଏତେ ଟଙ୍କା ଗାୟବ କରିଛି ତାହା ସ୍ପଷ୍ଟ ଜଣାପଡି ନାହିଁ । ଏତେ ବଡ ରକମ ଟଙ୍କା କିଭଳି ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର ହେଲା ଓ ଏହା ବିଭାଗୀୟ ଅଧିକାରୀ କିଭଳି ଜାଣି ପାରିଲେ ନାହିଁ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ତେବେ ଟଙ୍କା ରାଉରକେଲାର ଏକ ଆକାଉଣ୍ଟକୁ ଯାଇଥିବା ସିଡିଏମପିଏଚଓ ସୂଚନା ଦେଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାମଲା ଦାୟର କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ଅପରପକ୍ଷେ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣା ପଡିବ ବୋଲି ସୂଚନା ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ