ସୁବର୍ଣ୍ଣପୁର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଆଜିର ଦିନରେ ଶୈବପୀଠ ଗୁଡିକରେ କାଉଡିଆଙ୍କ ଭିଡ ଜମେ । କିନ୍ତୁ କୋରୋନା ମହାମାରୀ ପାଇଁ ଜନଶୂନ୍ୟ ହୋଇପଡିଛି ମନ୍ଦିର ପରିସର । ମହାମାରୀ କୋରୋନା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ଦେବାଦେବୀଙ୍କ ଦର୍ଶନ ମନା କରାଯାଇଥିବା ବେଳେ ସକାଳୁ ସକାଳୁ ସେବାୟତମାନେ ନୀତିକାନ୍ତି ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ତେବେ ସହରର ମହାନଦୀ ଓ ତେଲନଦୀ ସଂଗମରେ ଶ୍ରଦ୍ଧାଳୁ ମାନେ ସ୍ନାନ କରି ଶୈବ ପୀଠଗୁଡିକରେ ପାଚେରୀ ବାହାରେ ମୁଣ୍ଡିଆମାରି ଘରକୁ ଫେରିଛନ୍ତି । ଏନେଇ ଆଜି ସହରର ଅଷ୍ଟ ଶମ୍ଭୁଙ୍କ ପାବନ ପୀଠ ଖାଁ ଖାଁ ହୋଇପଡିଥିଲା । ସେହିପରି ପ୍ରାଚୀନ ଶୈବପୀଠ ବାବା ରାମେଶ୍ବର ,ସୁବର୍ଣ୍ଣମେରୁ ,ଗୋକର୍ଣ୍ଣେଶ୍ବର ,ପଶ୍ଚିମ ସୋମନାଥ ଆଦି ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁମାନଙ୍କ ଭିଡ ଦେଖିବାକୁ ମିଳିନଥିଲା । ସେବାୟତମାନେ ପାରମ୍ପରୀକ ରୀତିନୀତିରେ ସେବା ପୂଜା ସମାପନ କରି ମନ୍ଦିର ଗୁଡିକର ପ୍ରବେଶ ଦ୍ବାରଗୁଡିକୁ ବନ୍ଦ କରି ଦେଇଥିଲେ । ତେବେ ଜିଲ୍ଲାର ଗୋଧନେଶ୍ବର ,ଚରଦାର କପିଳେଶ୍ବର ,ବୈଦ୍ୟନାଥର କୋଶଳେଶ୍ବର ଆଦି ମନ୍ଦିରରେ ବି ଶ୍ରଦ୍ଧାଳୁ ମାନେ ଦର୍ଶନ କରିବାରେ ବଞ୍ଚିତ ହୋଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ