ସୁବର୍ଣ୍ଣପୁର: ଜିଲ୍ଲାର ବିରମହାରାଜପୁର ଉପଖଣ୍ଡର ସୁବଳୟା ଥାନା ଅଧିନସ୍ଥ ପିତାମହୁଲ ଗାଁରେ ଘଟିଛି ଏକ ଦୁଖଃଦ ଘଟଣା । 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗାଁର ଗୋଟିଏ ପରିବାରର ଦୁଇଜଣଙ୍କ ମୃତ୍ୟୁ ଘଟିଥିବା, ଅନ୍ୟଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି। ବିଦ୍ୟୁତ ତାର ସଂସ୍ପର୍ସରେ ସେହି ଗାଁ ବାପା-ବଡ ପୁଅଙ୍କ ମୃତ୍ୟୁ ହୋଇଛି।
ମୃତକଦ୍ବୟ ହେଉଛନ୍ତି ବାପା ସହଦେବ ସାହୁ ଓ ବଡ଼ ପୁଅ ଦେବାନନ୍ଦ ସାହୁ । ଗୁରୁତର ଅବସ୍ଥାରେ ସାନ ପୁଅ ଅରୂପାନନ୍ଦ ସାହୁଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାରହା ଶିକାର ପାଇଁ ଖୋଲାରେ 11 କେଭି ବିଦ୍ୟୁତ ତାର ବିଛା ଯାଇଥିଲା। ସକାଳୁ ବାପା ଓ ଦୁଇ ପୁଅ ଶୌଚ ପାଇଁ ଯାଇଥିବା ବେଳେ, ଶିକାର ପାଇଁ ବିଛା ଯାଇଥିବା ତାରରେ ଲାଗି ଯାଇଥିଲେ।
ଏହା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିଲା। ତେବେ କିଏ ଏହି ତାର ବିଛାଇଥିଲା ତାହା ଜଣାପଡିନାହିଁ। ଏ ଖବର ପାଇବା ପରେ ସୁବଳୟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ, ଏ ଘଟଣାର ତଦନ୍ତ କରୁଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ