ସୁବର୍ଣ୍ଣପୁର: ଘରୋଇ କଳିର କରୁଣ ପରିଣିତି । ପୁଅର ଆକ୍ରମଣରେ ବାପାର ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ମହଦା ପଞ୍ଚାୟତର ପାଲି ଗାଁରେ ।
ସୂଚନାନୁସାରେ, ମହଦା ପଞ୍ଚାୟତର ପାଲି ଗାଁର ମୁରଲି ତସା ଓ ତାଙ୍କ ପୁଅ ଇଟା ପକାଇବାକୁ ଯାଇଥିଲେ। ଘରୋଇ କଳିକୁ କେନ୍ଦ୍ର କରି ଇଟାଭାଟିରେ ବାପ-ପୁଅଙ୍କ ମଧ୍ୟରେ ଝଗଡା ଲାଗିଥିଲା । ଯୁକ୍ତିତର୍କ ଏତେ ବଢି ଯାଇଥିଲା ଯେ ପୁଅ ରାଗି ଯାଇ ଶାବଳରେ ବାପା ଉପରକୁ ଆକ୍ରମଣ କରିଥିଲା । ପୁଅର ଆକ୍ରମଣରେ ଘଟଣାସ୍ଥଳରେ ହିଁ ବାପାର ମୃତ୍ୟୁ ହୋଇଛି ।
ଏହା ପରେ କିଛି ଗାଁ ଲୋକଙ୍କ ସହାୟତାରେ ପୁଅ ବାପାର ମୃତଦେହକୁ ପୋତି ଦେଇଥିବା ଜଣା ପଡିଛି । ଘଟଣାର ଖବର ପାଇ ବୀରମହାରାଜପୁର ପୋଲିସ ପାଲିଗାଁରେ ପହଞ୍ଚି ପରିବାର ଲୋକଙ୍କୁ ପଚରଉଚରା ଜାରି ରଖିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ