ସୁବର୍ଣ୍ଣପୁର: ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅଫିସକୁ ଘେରାଉ କଲେ ଚାଷୀ । ସମବାୟ ସମିତି ଜରିଆରେ ଧାନ ବିକ୍ରୀ କରିବାକୁ ଦାବି କରିଛନ୍ତି ବାଞ୍ଜିପାଲି ଗାଁର ଚାଷୀ । ଚଳିତ ଥର ଧାନ ସଂଗ୍ରହ ପାଇଁ ମହିଳା ସ୍ବଂୟ ସହାୟକ ଗୋଷ୍ଠୀକୁ ଅନୁମତି ଦେଇଛି ପ୍ରଶାସନ । ଯାହାକୁ ବିରୋଧ କରି ଘେରାଉ କରିଛନ୍ତି ।
ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ପାଖରେ ଆବଶ୍ୟକ ଭିତ୍ତିଭୂମି ନାହିଁ । ଏଥିସହ ଧାନ ସଂଗ୍ରହର ସେମାନଙ୍କ ପାଖରେ ଅଭିଜ୍ଞତା ନଥିବାର ଅଭିଯୋଗ ଆଣିଛନ୍ତି । ଏପରିକି ଚାଷୀମାନେ ପରବର୍ତ୍ତି ସମୟରେ ହଇରାଣ ହେବେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି ଚାଷୀ ।
ତେଣୁ ସମବାୟ ସମିତି ମାଧ୍ୟମରେ ଧାନ ସଂଗ୍ରହ କରିବାକୁ ଚାଷୀମାନେ ଦୃଢ ଦାବି କରିଛନ୍ତି । ଆଉ ଯଦି ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଚାଷୀମାନେ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ବିବେକାନନ୍ଦ କରକରାଙ୍କ ସହିତ ଆଲୋଚନା କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ଅନ୍ୟପଟେ, ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ପାଖରେ ଆବଶ୍ୟକ ଭିତ୍ତିଭୂମି ଥିବାବେଳେ ଚାଷୀମାନେ ଭୟଭୀତ ହେବାର କୌଣସି ନାହିଁ ବୋଲି ଖାଦ୍ୟ ଯୋଗାଣ ଅଧିକାରୀ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ