ସୁବର୍ଣ୍ଣପୁର: ସମବାୟ ସମିତି ଜରିଆରେ ଧାନ ବିକ୍ରି କରିବା ପାଇଁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିକଟରେ ଦାବି କରିଛନ୍ତି ଜିଲ୍ଲାର ମେଘଲା ଗାଁର ଚାଷୀମାନେ । ଏଥର ମେଘଲା ଗାଁର ଶିବାନୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଚାଷୀ ମାନଙ୍କ ପାଖରୁ ସିଧାସଳଖ ଧାନ ସଂଗ୍ରହ ପାଇଁ ପ୍ରଶାସନ ଅନୁମତି ମିଳିଛି । କିନ୍ତୁ ଏହାକୁ ବିରୋଧ କରିଛନ୍ତି ଚାଷୀ ।
ଗତ ଆଠ ବର୍ଷ ହେଲା ଚାଷୀମାନେ ସିଲାଟି ସମବାୟ ସମିତି ଜରିଆରେ ଧାନ ବିକ୍ରି କରି ଆସୁଥିଲେ । କିନ୍ତୁ ଏହି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପାଖରେ ଆବଶ୍ୟକ ଭିତ୍ତିଭୂମି ନ ଥିବା ବେଳେ ପୂର୍ବରୁ ଏମାନେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ଓ ଆଇସିଡିଏସର ଛତୁଆ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।
ତେଣୁ ଚାଷୀଙ୍କ ଧାନ ସମବାୟ ସମିତି ମାଧ୍ୟମରେ ସଂଗ୍ରହ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି । ଦାବି ପୂରଣ ନ ହେଲେ ଆନ୍ଦୋଳନ ବ୍ୟାପକ କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ଚାଷୀମାନେ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ବିବେକାନନ୍ଦ କରକରାଙ୍କ ସହିତ ଆଲୋଚନା କରି ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ