ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ନାରାୟଣପୁର ସେକ୍ସନ ବାଘପାଲି ଗାଁ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚାଉଳ ହାତୀ ଖାଇ ଯାଇଛନ୍ତି । ଗତକାଲି ରାତିରେ ସିଂହାସନ ଜଙ୍ଗଲରୁ ହାତୀ ଆସି ଗାଁରେ ବ୍ୟାପକ ଉତ୍ପାତ କରିବା ସହିତ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚାଉଳ ଖାଇ ପଳାଇ ଯାଇଛନ୍ତି ।
ବିଦ୍ୟାଳୟ ଶ୍ରେଣୀ ପ୍ରକୋଷ୍ଠରେ ଗଚ୍ଛିତ ଥିବା ଚାଉଳ ଯେତିକି ଖାଇଛନ୍ତି ତାଠୁ ଅଧିକ ନଷ୍ଟ କରିଛନ୍ତି । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଗତ ଦୁଇ ମାସର ଚାଉଳ ଦେବା ପାଇଁ ବିଦ୍ୟାଳୟରେ ରଖା ଯାଇଥିଲା । ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଦାଇତ୍ୱରେ ଥିବା ଶିକ୍ଷକ ଓ ପାଚିକା ଚାଉଳ ବାଣ୍ଟିବା ପାଇଁ ଦିନ ବି ଧାର୍ଯ୍ୟ କରିଥିଲେ। ହେଲେ ଗତକାଲି ବାରପାହାଡ଼ ଜଙ୍ଗଲରୁ ହାତୀପଲ ଆସି ଗାଁରେ ବ୍ୟାପକ ଉପଦ୍ରବ କରିବା ସହିତ ବିଦ୍ୟାଳୟର ଚାଉଳ ଖାଇ ଯାଇଛନ୍ତି ।
ତେବେ ବର୍ଷ ତମାମ ବାରପାହାଡ଼ ଜଙ୍ଗଲରେ ହାତୀମାନେ ସ୍ଥାୟୀ ଭାବେ ରହୁଥିବା ବେଳେ ଜଙ୍ଗଲର ଆଖପାଖ ଅଞ୍ଚଳରେ ଥିବା ଜନବସତି ଆଡକୁ ମାଡି ଆସି ବ୍ୟାପକ ଧନ ଜୀବନ ନଷ୍ଟ କରୁଛନ୍ତି । ଗତକାଲି ପାହାନ୍ତିଆରେ ବାଙ୍କ ତେତେଲି ଗାଁର 54 ବର୍ଷୀୟ ଉପେନ୍ଦ୍ର ଦୀପକୁ ହାତୀ ତାଙ୍କ ବିଲରେ ହିଁ ଦଳି ଦେଇଥିଲା । ତେବେ ଜଙ୍ଗଲରେ ଏବେ ନିଆଁର ଦାଉ ଓ ଖାଦ୍ୟର ଅଭାବ ହାତୀ ମାନଙ୍କୁ ଜନବସତି ମୁହାଁ କରିଛି । ନିଆଁ ଲିଭାଇବା ସହିତ ଜଙ୍ଗଲରେ ହାତୀଙ୍କୁ ଖାଦ୍ୟ ଯୋଗାଇବା ତଥା ଜନବସତି ମୁହାଁ ହାତୀପଲଙ୍କୁ ଜଙ୍ଗଲ ଆଡକୁ ଘଉଡାଇବା ଆଦିରେ ବନ ବିଭାଗ ସମ୍ପୁର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ହୋଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ