ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉପାନ୍ତରେ ଥିବା ଉଲୁଣ୍ଡା ବନାଞ୍ଚଳର କୋଟସମଲାଇ ଗାଁରେ ଜଙ୍ଗଲି ହାତୀଙ୍କ ପ୍ରାର୍ଦୁଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତକାଲି ରାତିରେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ହାତୀ ପଲ ଆସି ଅନେକ ଚାଷୀଙ୍କ ଏକର ଏକର ଚାଷଜମି ଦଳି ଚକଟି ନଷ୍ଟ କରି ଦେଇଛନ୍ତି । ଖାଲି ସେତିକି ନୁହେଁ, ସ୍ଥାନୀୟ କେନ୍ଦୁପତ୍ର ଫଡିରେ ପତ୍ର ବାନ୍ଧୁଥିବା ଶ୍ରମିକଙ୍କ ୨ ବସ୍ତା ଚାଉଳ ବୋହି ନେଇ ଖାଇଦେବା ସହ ଗୋଟିଏ ସାଇକେଲ ଓ ପତ୍ରବନ୍ଧା ସାମଗ୍ରୀ ନଷ୍ଟ କରି ଦେଇଛନ୍ତି ।
ସେଠାରେ ଥିବା ପରିବାରର ସଦସ୍ୟମାନେ ଜୀବନ ବିକଳରେ ସେଠାରୁ ପଳାଇ ଯାଇଥିଲେ । ହାତୀ ପଲ ଏହି ଅଞ୍ଚଳରେ ଦୀର୍ଘଦିନ ହେବ ରହୁଥିଲେ ହେଁ ବନବିଭାଗ ପକ୍ଷରୁ ଘଉଡାଇବା ପାଇଁ କୌଣସି ପ୍ରକାର ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି ।
ଚାଷୀମାନେ ନିଜେ ଜୀବନକୁ ବାଜି ଲଗାଇ ହାତୀ ଘଉଡାଉଛନ୍ତି । ବାରମ୍ବାର ଏହି ଅଞ୍ଚଳର ଚାଷୀଙ୍କ ଫସଲ ହାତୀ ପଲ ନଷ୍ଟ କରି ଦେଉଥିବାବେଳେ ଠିକ ଭାବରେ କ୍ଷତିପୂରଣ ଦିଆଯାଉ ନାହିଁ । ତେବେ ବନ ବିଭାଗ ପକ୍ଷରୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ