ସୁବର୍ଣ୍ଣପୁର: ଜିଲ୍ଲାର ସଦର ବ୍ଲକ ମୟୂର ଉଡାନ ଓ ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତରେ ହୋଇଥିବା ଉପ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ମୟୂର ଉଡାନରେ ସମିତି ସଭ୍ୟ ଓ ସିନ୍ଦୁରପୁରରେ ସରପଞ୍ଚ ପଦବୀ ପାଇଁ ଗତକାଲି (ମଙ୍ଗଳବାର) ଭୋଟ ଗ୍ରହଣ ହୋଇଥିଲା। ସମିତି ସଭ୍ୟ ପାଇଁ 2 ଜଣଙ୍କ ଭିତରେ ଲଢେଇ ହୋଇଥିବାବେଳେ ସରପଞ୍ଚ ପଦବୀ ପାଇଁ 4 ଜଣ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ ।
ସୂଚନାଥାଉକି, ମୟୂରଉଡାନ ପଞ୍ଚାୟତର ୧୨ଟି ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତରେ ପୂର୍ବରୁ ନିର୍ବାଚିତ ସମିତି ସଭ୍ୟଙ୍କ ମୃତ୍ୟୁ ଯୋଗୁଁ ଏଠି ଉପ ନିର୍ବାଚନ ହୋଇଥିବାବେଳେ ସିନ୍ଦୁରପୁର ପଞ୍ଚାୟତରେ ପୂର୍ବତନ ସରପଞ୍ଚ ଅସିଦ୍ଧ ଘୋଷଣା ହୋଇଥିବାରୁ ଉପ ନିର୍ବାଚନ ହୋଇଥିଲା । ଆଜି(ବୁଧବାର) ବ୍ଲକ ଓ ବିନିକା ବ୍ଲକ ପରିସରରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯାଇଛି। ମଣୀନ୍ଦ୍ର ମେହେର 2339 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରାର୍ଥୀ ରିଙ୍କୁ ଖମାରି ମାତ୍ର 564 ଖଣ୍ଡ ଭୋଟ ପାଇଛନ୍ତି । ତେଣୁ ମନୀନ୍ଦ୍ର ମେହେର 1775 ଖଣ୍ଡ ବ୍ୟବଧାନରେ ମୟୁର ଉଡାନର ସମିତି ସଭ୍ୟ ପ୍ରାର୍ଥୀ ଭାବେ ବିଜୟୀ ହୋଇଛନ୍ତି ।
ସେହିପରି ସିନ୍ଦୁରପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନୀ ଭାବେ ଗୀତାଞ୍ଜଳି ମହାକୁର 2919 ଖଣ୍ଡ ଭୋଟ ପାଇଁ 2400 ଭୋଟ ବ୍ୟବଧାନରେ ନିକଟତମ ପ୍ରାର୍ଥିନୀ ମିନତୀ ମଲ୍ଲିକଙ୍କ ପାଖରୁ ବିଜୟୀ ହୋଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ