ସୁବର୍ଣ୍ଣପୁର: ମା’ ଖୋଜୁଛି ଶିଶୁ ହୃଦୟର ସ୍ପନ୍ଦନ। ନୀରବରେ ଜଗି ରହିଛି ଶିଶୁକୁ । ସଂଜ୍ଞାହୀନ ଅବସ୍ଥାରେ ପଡିରହିଥିବା ଶିଶୁକୁ ଅନେକ ବାର ଉଠାଇବାକୁ ପ୍ରୟାସ କରି ବିଫଳ ହୋଇଛି । ହେଲେ ମା’ର ମନ ମାନୁନାହିଁ । ଆଖିରୁ ଅନବରତ ଲୁହ ଗଡି ଚାଲିଥିବା ବେଳେ ଅଖିଆ ଅପିଆ ଶିଶୁକୁ ଜଗି ରହିଛି । କାଳେ ଉଠିବ, ଉଠିଲେ ପୁଣି ଗେଲ କରିବ ଓ ସାଂଗରେ ଧରି ଯିବ ଖାଦ୍ୟ ଅନ୍ବେଷଣରେ । ହେଲେ ମା’ର ସବୁ ପ୍ରୟାସ ବିଫଳ ହେବା ପରେ ନୀରବରେ ଶିଶୁ ପାଖରେ ଶୋଇପଡିଛି । ଆମେ କହୁଥିବା ଦୃଶ୍ୟ ହେଉଛି ଜଣେ କୁକୁରର । ମା କୁକୁରର ଶିଶୁଟି କୌଣସି କାରଣରୁ ମରିପଡିଛି । ଉଠାଇବାର ପ୍ରୟାସ କରି ବିଫଳ ହୋଇ ଜଗି ରହିଛି ମା ।
ଦୋକାନୀ ମା’ କୁକୁରକୁ ଘଉଡାଇବାର ଚେଷ୍ଟା କରିଥିଲେ । ହେଲେ ବାଘୁଣୀ ପରି ମା’ କୁକୁରଟି ହିଂସ୍ର ହେବାରୁ ମା’ କୁକୁରକୁ ଆଉ ଘଉଡାଇଲେ ନାହିଁ । ପ୍ରାୟ 24 ଘଣ୍ଟାରୁ ଅଧିକ ହେଲା ମା’ କୁକୁର ଏଇ ବାରଣ୍ଡାରେ ମଲା ଶିଶୁ କୁକୁରଟିକୁ ଜଗି ରହିଛି । ଅନାବିଳ ମାତୃତ୍ବ ମା’ କୁକୁରଟିକୁ ଶିଶୁ ସହିତ ବାନ୍ଧି ରଖିଛି । ଦୃଶ୍ୟଟି ଦେଖିବାକୁ ମିିଳିଛି ସୁବର୍ଣ୍ଣପୁର ସହରର ନଳିନୀ ଛକରେ । ସୁଇପରମାନଙ୍କ ଅନେକ ଚେଷ୍ଟା ପରେ ମା’ କୁକୁରଟିକୁ ଘଉଡାଇ ଶିଶୁ କୁକୁରର ମୃତ ଦେହକୁ ସଂସ୍କାର ପାଇଁ ନେବାରେ ସକ୍ଷମ ହେଲେ ପୌର ପରିଷଦ କର୍ମଚାରୀ ।
ତେବେ ଏକ ନିର୍ଦ୍ଦିଷ୍ଟ ସମୟ ଯାଏଁ ପ୍ରାଣୀମାନେ ନିଜ ସନ୍ତାନ ସନ୍ତତିଙ୍କ ସୁରକ୍ଷା କରିବାରେ ନିଜର ସବୁ ସାମର୍ଥ୍ୟ ଲଗାଇ ଦେଇଥାନ୍ତି । ପକ୍ଷୀ, ସରୀସୃପ ଓ କିଛି ପ୍ରାଣୀଙ୍କ କ୍ଷେତ୍ରରେ ନିଜ ଶିଶୁର ସୁରକ୍ଷା ଓ ଲାଳନ ପାଳନକୁ ପ୍ରାଥମିକତା ଦେଉଥିବା ଦେଖିବାକୁ ମିଳିଥାଏ । ଯାହା ଆଧୁନିକ ସମୟରେ ମଣିଷ ଭିତରୁ ଧିରେ ଧିରେ ବ୍ୟସ୍ତତା ଯୋଗୁଁ ହଜିଯାଉଥିବା ପ୍ରାଣୀ ବିଜ୍ଞାନୀ ଉମାକାନ୍ତ ନାଗ କହିଛନ୍ତି । ତେବେ ଶିଶୁର ସୁରକ୍ଷା ଓ ଲାଲନ ପାଳନ ଏପରି ପ୍ରାଣୀମାନଙ୍କ ପାଖରୁ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରାଣୀ ବିଜ୍ଞାନୀ ମତ ରଖିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ