ସୁବର୍ଣ୍ଣପୁର: ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଶିଶୁ ଓ ମାତୃ ବିଭାଗ କରିଲେନି ନବଜାତ ଶିଶୁର ମୃତ୍ୟୁ ଘୋଷଣା । ଏନେଇ ନବଜାତ ଶିଶୁର ପିତାମାତା ଶିଶୁର ଅନ୍ତିମ ସଂସ୍କାର କରି ନ ପାରି ମୃତ ଶିଶୁକୁ ଧରି ପହଁଚିଲେ ଜିଲ୍ଲା ପ୍ରଶାସନ ପାଖରେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ।
ସୂଚନା ମୁତାବକ, ଜିଲ୍ଲାର ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ କପାସିରା ଗାଁର ସ୍ୱାମୀ ସମ୍ରାଟ ପ୍ରଧାନ ଓ ସ୍ତ୍ରୀ କୁନିଙ୍କ ର ଶିଶୁପୁତ୍ରର ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା। ଏନେଇ ସେମାନେ ମଧ୍ୟାହ୍ନ ସମୟରେ ଗାଁରୁ ପ୍ରାୟ 80 କିଲୋମିଟର ଦୂରକୁ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମାତୃ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଶିଶୁ ବିଭାଗର ଡାକ୍ତର ଶିଶୁକୁ ଆବଶ୍ୟକ ଚିକିତ୍ସା କରିବା ପରେ ପ୍ରାୟ ଘଣ୍ଟାଏ କାଳ ଶିଶୁର ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ। ହେଲେ ଶିଶୁର ସ୍ୱାସ୍ଥ୍ୟରେ ଉନ୍ନତି ନ ହେବାରୁ ଶିଶୁକୁ ବୁର୍ଲା ସ୍ଥାନାନ୍ତର କରିବା ପାଇଁ ନିର୍ଦେଶ ଦେଇଥିଲେ। ତେବେ ଶିଶୁର ପିତାମାତା 108 ଆମ୍ବୁଲାନ୍ସ ଯୋଗେ ଶିଶୁକୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଚିକିତ୍ସାଳୟ ଓ ଗବେଷକ କେନ୍ଦ୍ରକୁ ନେବା ବାଟରେ ଶିଶୁର ମୃତ୍ୟୁ ହୋଇଯାଇଥିବା ଅନୁମାନ କରିଥିଲେ।
ତେବେ ଆଉ ଆଗକୁ ନ ଯାଇ ବାଟରେ ଉଲୁଣ୍ଡା ବ୍ଲକ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର କିନ୍ତୁ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା ନ କରି ମୃତ ଘୋଷଣା କରିବାକୁ ମନା କରିଦେଲେ। ଫଳରେ ଶିଶୁର ବାପା ମା ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରାଇ ଆଣିଥିଲେ। ହେଲେ ସେଠାରେ ବି ପୁଣି ସମାନ ପରିସ୍ଥିତି ଦେଖା ଦେବାରୁ ବାଧ୍ୟ ହୋଇ ଶିଶୁର ବାପା ମା’ ମୃତ ଶିଶୁକୁ ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲାପାଳ ସମ୍ବେଦନଶୀଳ ଭାବରେ ଅଭିଯୋଗ ଶୁଣି ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେବା ପରେ ଶିଶୁକୁ ବିଭାଗୀୟ ଡାକ୍ତର ମୃତ ଘୋଷଣା କରିଛନ୍ତି।
ପ୍ରାୟ ତିନି ଘଣ୍ଟା କାଳ ହଇରାଣ ହେବା ପରେ ସମ୍ରାଟଙ୍କ ଶିଶୁର ମୃତ୍ୟୁ ଘୋଷଣା କରାଯାଇଥିଲା । ତେବେ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ଏହି ବିଚିତ୍ର ନୀତି ଓ କାର୍ଯ୍ୟ କଳାପ ଉପରେ ଏବେ ଅନେକ ପ୍ରଶ୍ନ ଉଠିଛି। ବହୁ ଦୂର ଦୁରନ୍ତାରୁ ଲୋକେ ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ଆଶାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦୌଡ଼ି ଆସୁଥିବା ବେଳେ ଲୋକେ ଏଭଳି ଅଭାବନୀୟ ଘଟଣାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ସମ୍ବେଦନଶୀଳ ଭାବେ ଗ୍ରହଣ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି।
ଇଟିଭି ଭାରତ, ସୁବର୍ଣ୍ଣପୁର