ସୁବର୍ଣ୍ଣପୁର: ଜିଲ୍ଲାରେ ରୌଦ୍ରତାପ ଦିନକୁ ଦିନ ବୃଦ୍ଧି ହେଉଛି । ତା ସହିତ ବଢିଛି ମହାନଦୀର ଖଇରମାଲ ଠାରେ ବ୍ୟାରେଜ ନିର୍ମାଣ ଦାବିର ତାତି । କୋଶଳ ଭାଷା ସାହିତ୍ୟ ସଂସ୍କୃତି ଏକାଡେମୀ ଓ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଖଇରମାଲ ଠାରେ ବ୍ୟାରେଜ ନିର୍ମାଣ କରିବା ଦାବି ଜୋର ଧରିଛି । ମହାନଦୀର ଜଳଧାରଣ କ୍ଷମତା ବଢାଇବା ସହିତ କୃଷକମାନଙ୍କ ପାଇଁ ଜଳସେଚନ ବ୍ୟବସ୍ଥା କରିବାକୁ ବ୍ୟାରେଜ ନିର୍ମାଣ ପ୍ରସଙ୍ଗ ଏବେ ଜନସାଧାରଣଙ୍କ ଭିତରେ ଆଲୋଚନା ହେଉଛି । ମହାନଦୀର ଉପର ମୁଣ୍ଡରେ ଅନେକ ବ୍ୟାରେଜ ନିର୍ମାଣ ହୋଇଛି । ଫଳରେ ଗ୍ରୀଷ୍ମରେ ମହାନଦୀ ପ୍ରାୟତଃ ଶୁଖିଲା ପଡିଛି । ମହାନଦୀର ପଥର ଓ ବିସ୍ତୀର୍ଣ୍ଣ ବାଲି ଯୋଗୁଁ ତାପ ବିକିରଣ ହେଉଛି ।
ସେପଟେ ରାଜ୍ୟ ସରକାରଙ୍କ ଗ୍ରୀନ ମହାନଦୀ ଯୋଜନା ସଫଳ ହେଉ ନ ଥିବାରୁ ପ୍ରତିବର୍ଷ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଉଛି । ସାରା ଜିଲ୍ଲାରେ ବ୍ୟାପକ ବୃକ୍ଷ ରୋପଣ ସାଙ୍ଗକୁ ମହାନଦୀରେ ବ୍ୟାରେଜ ଓ ଆନିକଟ ନିର୍ମାଣ କରି ମହାନଦୀର ଜଳଧାରଣ କ୍ଷମତା ବଢାଇଲେ ସୁବର୍ଣ୍ଣପୁର ପୁଣି ଶୀତଳ ସହର ଭାବେ ପରିଣତ ହେବ । ଏନେଇ ବୁଦ୍ଧିଜୀବୀମାନେ ମତ ରଖିଛନ୍ତି । ବ୍ୟାରେଜ ନିର୍ମାଣ ପାଇଁ କୋଶଳ ସାହିତ୍ୟ ସଂସ୍କୃତି ଏକାଡେମୀ ପକ୍ଷରୁ ବାଇକ ଶୋଭାଯାତ୍ରା କରି ନଗର ପରିକ୍ରମା କରିବା ସହିତ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ତା, ଇଟିଭି ଭାରତ