ସୁବର୍ଣ୍ଣପୁର: ବସନ୍ତ ଆସିଲେ ପ୍ରକୃତି ରାଣୀ ଶୋଭାମୟୀ ହୋଇଉଠେ । ବସନ୍ତର ମୃଦୁ ମଳୟ, କୋକିଳର ସ୍ବର, ପାହାନ୍ତିଆରେ ହାଲକା ହାଲକା ଶୀତ ଭିତରେ ପରିବେଶ ବେଶ୍ ଆରାମ ଦାୟକ ଲାଗେ । ଏହି ବେଳାରେ ପ୍ରକୃତି କୋଳରେ ଫୁଟି ଉଠିଥିବା ପଲାଶ ଫୁଲ, ମହୁଲ ଫୁଲର ବାସ୍ନା, ଚାର ଓ କେନ୍ଦୁ ଫଳ ଭଳି ବନଜାତ ଫୁଲ ଫଳରେ ହସିଉଠେ ଧରିତ୍ରୀ । ରାସ୍ତା ଚାରିପଖରେ ଠିଆ ହୋଇଥିବା ପଳାଶ ଗଛରେ ବସନ୍ତର ଆଗମନରେ ନାଲି ରଙ୍ଗ ଭରି ଯାଇଥାଏ । ସତେ ଯେପରି ନୀଳ ଆକାଶ ତଳେ ବିଛାଯାଇଛି ନାଲି ରଙ୍ଗର ଓଢଣୀ । ଫଗୁଣରେ ଫୁଟିଥିବା ପଳାଶ ବସନ୍ତର ସ୍ପର୍ଶରେ ପୁଲକିତ ହୋଇଉଠେ । ବାସନା ନଥିଲେ ବି ପାଏ ଆଦର । ବାସ୍ନାହୀନ ଫୁଲଟିଏ, କିନ୍ତୁ ନିଜ ରୂପ-ରଙ୍ଗ ଓ ସୌନ୍ଦର୍ଯ୍ୟରେ ସଭିଙ୍କ ମନକୁ ରୋମାଞ୍ଚିତ କରେ । ସୁବର୍ଣ୍ଣପୁର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ ଏହି ପଳାଶ ଫୁଲ । ହେଲେ ବର୍ତ୍ତାମାନ ଏହା ଜିଲ୍ଲାବାସୀଙ୍କ ପାଇଁ ସ୍ବପ୍ନ ପାଲଟିଯାଇଛି ।
ବସନ୍ତ ଆସିଲେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଜିଲ୍ଲା ସୁବର୍ଣ୍ଣପୁର ଯେପରି ନାଲି ରଙ୍ଗର ଓଢଣୀ ତଳେ ଝାଙ୍କି ହୋଇ ରହିଥାଏ । ପ୍ରକୃତିରାଣୀର ଏହି ଅପରୂପ ଭରା ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି ଜିଲ୍ଲାବାସୀ । ହେଲେ ବର୍ତ୍ତମାନ ଆଗଭଳି ସେହି ଦୃଶ୍ୟ ଦେଖିବାକୁ ମିଳୁନାହିଁ । ବିସ୍ତୀର୍ଣ୍ଣ ଅର୍ଜୁନପୁର ଜଙ୍ଗଲରୁ ଦୈନନ୍ଦିନ ଆବଶ୍ୟକତା ପାଇଁ ଦାନ୍ତକାଠି, କେନ୍ଦୁପତ୍ର ଆଦି ଲୋକେ ସଂଗ୍ରହ କରିବା ସହିତ ଜଙ୍ଗଲରୁ ବିଭିନ୍ନ ପ୍ରକାରର ଫଳଫୁଲ ସଂଗ୍ରହ କରି ସହରର ଅଷ୍ଟ ଚଣ୍ଡୀଙ୍କ ପାଖରେ ସମର୍ପଣ କରୁଥିଲେ । ଏତଦବ୍ୟତୀତ ସୋନପୁର ମହାବିଦ୍ୟାଳୟ ନିକଟ ପଲାଶ ବଣ, ରାମେଶ୍ବର ମନ୍ଦିର ନିକଟସ୍ଥ ପଲାଶ ବଣ, ଦିଲବାହାଲପୁର କୋଠା ପାର୍ଶ୍ବବର୍ତ୍ତୀ ପଳାଶ ବଣକୁ ଲୋକେ କାଟି ଦେବା ଫଳରେ ଏବେ ସାରା ଗଡଜାତ ସହର ରଙ୍ଗହୀନ ହୋଇପଡ଼ିଛି । ସେହିପରି ସହରର ବିଭିନ୍ନ ରାସ୍ତା କଡରେ ଲାଗିଥିବା କୃଷ୍ଣଚୁଡା ଓ ରାଧାଚୁଡା ବୃକ୍ଷାଦି ରାସ୍ତା ପ୍ରଶସ୍ତିକରଣ ପାଇଁ କାଟି ଦିଆଯିବା ପରେ ସହର ଏବେ ସମ୍ପୂର୍ଣ୍ଣ ରୁଭୂଇଁ ପାଲଟି ଯାଇଛି ।
ସହରର ଅଷ୍ଟଚଣ୍ଡୀଙ୍କ ପୀଠରେ ଚୈତ୍ରରେ ପଳାଶ ଫୁଲ ଲାଗି କରିବାକୁ ଏବେ ଆଉ ସହରରେ ଫୁଲ ମିଳୁନାହିଁ । ସୁବର୍ଣ୍ଣପୁରୀ ପାଟବସ୍ତ୍ରର ବୁଣାକାରମାନେ ଏହି ଫୁଲରୁ ପ୍ରାକୃତିକ ରଙ୍ଗ ବାହାର କରି ପାଟବସ୍ତ୍ରରେ ବ୍ୟବହାର କରୁଥିଲେ । ସହରର ବୈଦ୍ୟମାନେ ଫୁଲ, ଫଳ, ଚେର, ପତ୍ର, ଛାଲି ଆଦି ସଂଗ୍ରହ କରି ବିଭିନ୍ନ ପ୍ରକାରର ଆୟୁର୍ବେଦିକ ଔଷଧ ତିଆରି କରୁଥିଲେ । ଗୃହିଣୀମାନେ ଏହାର ପତ୍ର ଆଦି ସଂଗ୍ରହ କରି ଖଲି ,ଦନା ଆଦି ପ୍ରସ୍ତୁତ କରି ବର୍ଷ ତମାମ ବ୍ୟବହାର କରୁଥିଲେ । ଅନେକ ସମୟରେ ପଲାଶ ବଣରୁ ସଂଗୃହିତ କାଠ ମଧ୍ୟ ବ୍ୟବହାର କରାଯାଉଥିଲା । ତେବେ ଦିନକୁ ଦିନ ଲୋକେ ପ୍ରକୃତି ପ୍ରତି ଆକର୍ଷିତ ହେଉଥିବା ବେଳେ ବିଭିନ୍ନ ପ୍ରକାରର ଉନ୍ନୟନ ନାଁରେ ପଳାଶ ବଣ କାଟି ଦିଆ ଯାଉଥିବାରୁ ପ୍ରକୃତି ନଷ୍ଟ ହେଉଛି । ବସନ୍ତର ଏହି ଫୁଲଟି ଚୈତ୍ରମାସରେ ଦେବୀଙ୍କ ପ୍ରଥମ ପସନ୍ଦ ହୋଇଥିବା ବେଳେ ଦଣ୍ଡ ଯାତ୍ରାରେ ଦଣ୍ଡୁଆମାନେ ବି ଫୁଲ ବ୍ୟବହାର କରିଥାନ୍ତି । ତେବେ ଲୋକେ ପଳାଶ ଗଛକୁ ଅଦରକାରୀ ବୋଲି କାଟି ଦେଉଥିବାରୁ ପ୍ରକୃତିର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା ପରିବେଶବିତ୍ମାନେ କହିଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର