ସୁବର୍ଣ୍ଣପୁର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳାର ଶୀକାର ହୋଇଚାଲିଛି ସୁବର୍ଣ୍ଣପୁର ଜିଲ୍ଲା । ପୂର୍ବରୁ ଅନେକ ପ୍ରକଳ୍ପରୁ ବାଦ ପଡିଥିବା ଜିଲ୍ଲା ଏବେ କେନ୍ଦ୍ରୀୟ ବିଦ୍ୟାଳୟକୁ ନେଇ ମଧ୍ୟ ଅନେକ ସନ୍ଦେହ ସୃଷ୍ଟି ହୋଇଛି । କାରଣ ସୁବର୍ଣ୍ଣପୁର ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କ୍ୟାମ୍ପସ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇ ପଡିଛି। କେନ୍ଦ୍ରୀୟ ଗୃହ ଓ ପୂର୍ତ୍ତ ବିଭାଗ ଓ ଠିକାଦାରଙ୍କ ଭିତରେ ସଲାସୁତୁରା ଯୋଗୁଁ ବିଦ୍ୟାଳୟ ନିର୍ମାଣ ହୋଇ ପାରୁ ନଥିବା ଅଭିଯୋଗ ହେଉଛି।
ଆଜିକୁ 11 ବର୍ଷ ହେଲା ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟ ଏକ ଅସ୍ଥାୟୀ କ୍ୟାମ୍ପସରେ ଚାଲିଛି। ପ୍ରାୟ ନଅ ବର୍ଷ ପରେ 15 ଜାନୁଆରୀ 2019ରେ ପ୍ରଧାନମନ୍ତ୍ରୀ ଏହାର ନୂତନ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିବା ପରେ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟ 18 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ଏବେବି ଦୁଇ କୋଟି ଟଙ୍କାର ଅନୁଦାନ କେନ୍ଦ୍ରୀୟ ଗୃହ ଓ ପୂର୍ତ୍ତ ବିଭାଗ ପାଖରେ ରହିଥିଲେ ବି ନିର୍ମାଣ କାର୍ଯ୍ୟ ହେଉନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ମାତ୍ର 18 ମାସ ଭିତରେ କ୍ୟାମ୍ପସ ନିର୍ମାଣର କାର୍ଯ୍ୟ ଶେଷ କରିବାକୁ ସମୟ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ 30 ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନାହିଁ।
ଆଉ ନିରାଶ ଜନକ ତଥ୍ୟ ହେଉଛି ବର୍ତ୍ତମାନ 6 କୋଟି 20 ଲକ୍ଷ ଟଙ୍କାର ଅନୁଦାନ ମିଳିଥିବା ବେଳେ ନିର୍ମାଣ କାର୍ଯ୍ୟ ହେଉ ନଥିବାରୁ ଜିଲ୍ଲାର ଅଭିଭାବକ ମହଲରେ ତୀଵ୍ର ଅସନ୍ତୋଷ ଦେଖାଦେଇଛି। ଜାମ୍ମୁ କାଶ୍ମୀରର ଡିଜେ କମ୍ପାନୀ ଏହାର ନିର୍ମାଣ କାର୍ଯ୍ୟ ନେଇଥିବା ବେଳେ ବିଦ୍ୟାଳୟ ନିର୍ମାଣରେ ମନ୍ଥରତାକୁ ନେଇ ଅଭିଭାବକ ମାନେ କେନ୍ଦ୍ରୀୟ ଗୃହ ଓ ପୂର୍ତ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି। ତେବେ ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଦାବି କରିଛନ୍ତି। ନଚେତ ସବୁ କ୍ଷେତ୍ରରେ ଜିଲ୍ଲାକୁ ଏଭଳି ଭାବେ ଅବହେଳା କଲେ ଆଗାମୀ ଦିନରେ ସାରା ଜିଲ୍ଲାରେ ବ୍ୟାପକ ଆନ୍ଦୋଳନ ଜନଅସନ୍ତୋଷ ଆରମ୍ଭ ହୋଇପାରେ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ