ସୁବର୍ଣ୍ଣପୁର: ସହରରେ ତିଆରି ତିନିଟି ହେଲିପ୍ୟାଡର ସୁରକ୍ଷା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ମନୀଷା ବାନାର୍ଜୀ। ସହରର ରାମେଶ୍ବର ମନ୍ଦିର ନିକଟସ୍ଥ ଷ୍ଟାଡିୟମ ପାଖରେ ନିର୍ମିତ ହେଲିପ୍ୟାଡ ନଷ୍ଟ ହେବା ସମ୍ପର୍କରେ ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ତାଙ୍କୁ କୌଣସି ଦେଇ ନ ଥିବା ପ୍ରକାଶ କରିଛନ୍ତି । ସରକାରୀ ସମ୍ପତ୍ତିର ସୁରକ୍ଷା ପ୍ରଶାସନର କର୍ତ୍ତବ୍ୟ । ଏହାର ସୁରକ୍ଷା ପାଇଁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସୂଚନାଯୋଗ୍ୟ, ଗତ ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ତିନୋଟି ସ୍ଥାୟୀ ହେଲିପ୍ୟାଡ ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ନିର୍ମାଣ କରିଥିଲେ। ଏଥିପାଇଁ 30 ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଖର୍ଚ୍ଚ କରାଯାଇଥିଲା। ହେଲେ ଏବେ ସହରର ରିଙ୍ଗରୋଡ଼ ତିଆରି ପାଇଁ ସେଠାରେ ପୂର୍ତ୍ତ ବିଭାଗ ଠିକାଦାର ବିଭିନ୍ନ ନିର୍ମାଣ ସାମଗ୍ରୀ ମହଜୁଦ ରଖିଛନ୍ତି। ଏପରିକି ସେଠାକୁ ନିର୍ମାଣ ସାମଗ୍ରୀ ଭାରିଯାନରେ ନିଆ ଯାଉଥିବାରୁ ହେଲିପ୍ୟାଡ ଅନେକ ଯାଗାରେ ନଷ୍ଟ ହୋଇଛି। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁରକ୍ଷା ଦାୟିତ୍ବ ରାଜସ୍ବ ବିଭାଗର ବୋଲି ପୂର୍ବରୁ ନିଜର ପ୍ରତିକ୍ରିୟା ରଖିଥିବା ବେଳେ କିନ୍ତୁ ଏଯାଏଁ ପ୍ରଶାସନ ଯତ୍ନବାନ ନୁହେଁ । କେବେ ଏହାର ସୁରକ୍ଷା କରାଯାଇ ରିଙ୍ଗରୋଡ଼ ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ତାହା ଦେଖିବାକୁ ରହିଲା ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ